ଲୁଗା ବ୍ୟବସାୟୀଙ୍କୁ ଅପହରଣ, ୨ ଗିରଫ, ମାଷ୍ଟର ମାଇଣ୍ଡ ଫେରାର୍‌

କୋରାପୁଟ: ଗାଁକୁ ଗାଁ ଫେରି କରି ଲୁଗା ବ୍ୟବସାୟ କରୁଥିବା ଜଣେ ମହାରାଷ୍ଟ୍ର ଥାନେ ସହର ଇମାଦ୍‌ ନାମକ ବ୍ୟବସାୟୀଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ହାତରେ ଧରାପଡିଛନ୍ତି ୨ ଅପହରଣକାରୀ। ଅପହରଣକାରୀମାନେ ସେମିଳିଗୁଡା ଥାନା ଘାଟଗୁଡା ଗାଁର ବିମଳ ଟାକିରି (୨୬) ଓ ସରୋଜ ଟାକିରି (୨୩) ।

କୋରାପୁଟ ଟାଉନଥାନା  ଆଇଆଇସି  ଧୀରେନ କୁମାର ପଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ ଏହି ଘଟଣାରେ ଟଙ୍କା ଗ୍ରହଣ କରିଥିବା ଏକ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯିବା ସହିତ ଫ୍ରିଜ୍‌ କରାଯାଇଛି ।ସେଥିରେ ୬୦ ହଜାର ଟଙ୍କା ଥିବା ଜଣା ପଡିଛି । ଏହା ସହ ଗିରଫ ହୋଇଥିବା ଦୁଇଜଣଙ୍କ ଠାରୁ  ବାଇକ, ମୋବାଇଲ ଓ ୧୫୦୦ ଟଙ୍କା ଜବତ କରାଯାଇଛି। ପୁଲିସ ନଂ.୧୬୩/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାରେ ରାଜେଶ ନାମକ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି। ତାକୁ ଧରିବାକୁ ପୁଲିସ ଜାଲ ବିଛାଇଥିବା ଜଣାପଡିଛି। ଫେରାର ମାଷ୍ଟର ମାଇଣ୍ଡକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି  କହିଛନ୍ତି । ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରରୁ ଆସି କୋରାପୁଟରେ ଫେରି  ବ୍ୟବସାୟ କରୁଥୁବା ଏହି ବ୍ୟବସାୟୀକୁ ଅପହରଣ କରାଯାଇଥିଲା।

ଅପହରଣକାରୀମାନେ ମୁଣ୍ଡ ଜାମିନ ରଖି ଇମାଦଙ୍କ ଭାଇ ଜାହିଦ୍‌ ଶେଖଙ୍କୁ ୧ ଲକ୍ଷ ୫୦ ହଜାର  ଟଙ୍କା   ଦେବାକୁ  ଦାବି  କରିଥିଲେ । ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଦେଇଥିଲେ । ପରିବାରବର୍ଗ ଯୋଗାଡ କରି ୧ ଲକ୍ଷ ଟଙ୍କା ଅପହୃତଙ୍କୁ ଦେଇଥିଲେ। ଏହି ଅର୍ଥ ପାଇବାପରେ ଅପହୃତ ହୋଇଥିବା ଇମାଦକୁ ଛାଡିବାକୁ ଆସି ଫସିଗଲେ ଦୁଇ ଅପହରଣ କାରୀ । ଟାଉନ ଥାନା‌ରେ ରହିଥିବା ହୋମଗାର୍ଡ ବସଷ୍ଟାଣ୍ଡରେ ଦୁଇ ଅପହରଣକାରୀ ଓ ଅପହର୍ତ୍ତାଙ୍କ ମଧ୍ୟରେ କଥାକଟି ହେଉଥିବା ଦେଖିଥିଲେ। ଏହାପରେ ସେମାନଙ୍କୁ ଆଣି ଥାନାରେ ବସାଇଥିଲେ। ଏହାପରେ ଅପହୃତ ହୋଇଥିବା ଇମାଦଙ୍କ ଭାଇ ଜାହିଦଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଜଣାପଡିଥିଲା ଯେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜେଶ ସହ ମିଶି ଏହି ଦୁଇ ଜଣ ଇମାଦଙ୍କୁ ସେମିଳିଗୁଡାର ଏକ ଜଙ୍ଗଲକୁ ନେଇଯାଇଥିଲା। ସେଠାରେ ରାତିଏ ରଖି କେୁଁ ଆଡେ ପଳାଇଥିଲେ। ଟଙ୍କା ପାଇବାପରେ ତାକୁ ଛାଡିବାକୁ ଆସି ଫସିଯାଇଥିବା ପୁଲିସ କହିଛି।

ତେବେ ୭ଜଣ ବ୍ୟବସାୟୀ ମହାରାଷ୍ଟ୍ରରୁ ଆସି କୋରାପୁଟରେ ରହି ଗାଁକୁ ଗା ବୁଲି ଲୁଗା  ବ୍ୟବସାୟ କରୁଛନ୍ତି । ସେଥି ମଧ୍ୟରୁ  ମହମ୍ମଦ ଇମଦାମ ନାମକ  ଜଣେ ବ୍ୟବସାୟୀଙ୍କୁ ଅପହରଣ କରିଥିଲେ ରାଜେଶ ଓ ତାଙ୍କ ଦୁଇ ସାଥୀ। ଏହିମାନଙ୍କ ସହ ଇମାଦଙ୍କର କିପରି ଦେଖାସାକ୍ଷାତ ଓ ଫୋନରେ ବାର୍ତ୍ତାଳପ ହେଲା। କିପରି ଓ କେଉଁ ପରିସ୍ଥିତିରେ ଏକ ହାଟେଲରୁ ଅପହରଣ କରି ନିଆଗଲା ତାହା ହୋଟେଲ ମାଲିକ କିପରି ଜାଣି ପାରିଲେନି। ମହାରାଷ୍ଟ୍ରରୁ ଆସି ଫେରି ବ୍ୟବସାୟ କରୁଥୁବା ଏହି ବ୍ୟବସାୟୀଙ୍କ ସହ ଅପହରଣକାରୀଙ୍କ ମଧ୍ୟରେ ଭଲ ସମ୍ପର୍କରୁ  ଅପହରଣ ଘଟଣା କାହିଁକି ଘଟିଲା    ସାଧାରଣରେ ସନ୍ଦେହ  ସୃଷ୍ଟି କରୁଛି  । ବ୍ୟବସାୟୀ ଓ ଅପହରଣକାରୀଙ୍କ  ମଧ୍ୟରେ କି ପ୍ରକାର  ସମ୍ପର୍କକୁ  ଏହି ଅପହରଣ କାଣ୍ଡ ସୃଷ୍ଟି ହୋଇଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ  । ଏଠି ପ୍ରଶ୍ନ ଉଠୁଛି    ଅନ୍ୟ କିଛି ବ୍ୟବସାୟ କରିବାକୁ କହି ଟଙ୍କା ନେଇ ଠକାମିରେ ପଢିବା ପରେ ଅପହୃତ ନାଟକ କରାଯାଇଛି କି? ଗଂଜେଇ ବ୍ୟବସାୟ ସହ ଲିଙ୍କ ରହିଛି ? ଏସବୁକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର