ଭୁବନେଶ୍ବର : ଓଡ଼ିଶାର ପାଣିପାଗରେ ପରିବର୍ତ୍ତନ ଘଟିଛି। ଅଧିକାଂଶ ସ୍ଥାନରେ ମେଘୁଆ ପାଗ ସହ କେତେକ ସ୍ଥାନରେ ବର୍ଷା ହେବାରୁ ବନାଗ୍ନି ସଂଖ୍ୟା ବି ବହୁ ପରିମାଣରେ ହ୍ରାସ ଘଟିଛି। ବିଶେଷକରି କୋରାପୁଟ, ଫୁଲବାଣୀ, ବାଲେଶ୍ବର, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକା ବର୍ଷା ହୋଇଥିବାରୁ ତାହାର ପ୍ରଭାବ ବନାଗ୍ନି ଉପରେ ପଡ଼ିଛି। ପରିଣାମ ସ୍ବରୂପ ଦୁଇ ଦିନ ତଳେ ୧୮୦୦ ଡେଇଁଥିବା ଓଡ଼ିଶାର ବନାଗ୍ନି ଆଜି ୧୧୮କୁ ଖସି ଆସିଛି। ବଡ଼ଧରଣର ବନାଗ୍ନି ସଂଖ୍ୟା ବି ୨୦୨ରୁ ୧୨କୁ ହ୍ରାସ ପାଇଛି। ଗୋଟିଏ ସମୟରେ ପାଖାପାଖି ୨୨ଟି ଜିଲ୍ଲାରେ ଜଙ୍ଗଲ ଜଳୁଥିବାର ଚିତ୍ର ସାମ୍ନାକୁ ଆସିଥିବା ବେଳେ ଆଜି ତାହା ୧୦ ତଳକୁ କମିଛି। କୋରାପୁଟ, ଭବାନୀପାଟଣା, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସର୍କଲର ଅଳ୍ପ କିଛି ରେଞ୍ଜରେ ବଡ଼ଧରଣର ଜଙ୍ଗଲ ଜଳୁଥିବା ସାମ୍ନାକୁ ଆସିଛି।
/sambad/media/post_attachments/wp-content/uploads/2023/03/forest-fire-2222.jpg)
କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟଗୁଡ଼ିକରେ ବି ଜଙ୍ଗଲ ନିଆଁ କମିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ) ତଥ୍ୟ ଅନୁଯାୟୀ ଆଜି ମଧ୍ୟାହ୍ନରେ ଦେଶର ୩୪ଟି ସ୍ଥାନରେ ବଡ଼ଧରଣ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ସେଥିମଧ୍ୟରୁ କେବଳ ଓଡ଼ିଶାରେ ୧୨ଟି ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୬, ମଧ୍ୟପ୍ରଦେଶରେ ୪, ତେଲେଙ୍ଗାନାରେ ୩, ମହାରାଷ୍ଟ୍ରରେ ୨, ଝାଡ଼ଖଣ୍ଡ, ଗୁଜରାଟ, କର୍ଣ୍ଣାଟକ, ଛତିଶଗଡ଼, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ମିଜୋରାମରେ ଗୋଟିଏ ଲେଖାଏ ସାମ୍ନାକୁ ଆସିଛି। ନଭେମ୍ବରରୁ ଏପର୍ଯ୍ୟନ୍ତ ଦେଶରେ ଚିହ୍ନଟ ହୋଇଥିବା ୬୭୫୬ଟି ବଡ଼ଧରଣର ବନାଗ୍ନି ମଧ୍ୟରୁ କେବଳ ଓଡ଼ିଶାରେ ୧୨୦୭ଟି ରହିଛି। ଯେତେବେଳେ କି ଆନ୍ଧ୍ରପ୍ରଦେଶରେ ୮୬୧, କର୍ଣ୍ଣାଟକରେ ୭୩୪, ତୋଲେଙ୍ଗାନାରେ ୫୫୦ ରହିଛି। ଗତ ୭ଦିନ ମଧ୍ୟରେ ଓଡ଼ିଶାରେ ୪୨୪ଟି ଚିହ୍ନଟ କରାଯାଇଛି। ଛୋଟ ବଡ଼ ବନାଗ୍ନିକୁ ମିଶାଇ ଗତ ୭ଦିନରେ ଓଡ଼ିଶାର ୫ ହଜାର ୭୫୨ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ମେଘୁଆ ପାଗ ସାଙ୍ଗକୁ ସ୍ଥାନେ ସ୍ଥାନେ ବର୍ଷା ପବନ ହେବାକୁ ଥିବାରୁ ଜଙ୍ଗଲ ନିଆଁ ହ୍ରାସ ପାଇବ ବୋଲି ପରିବେଶବିତ୍ମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Wildfire-Stable-After-Foggy-Weather_Punascha-Pruthibi_Thumbnail.jpg)