ଭୁବନେଶ୍ବର: ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଲାଗିରହିବ। ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ। ୨୬ ତାରିଖଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ।
ତେବେ କିଛି ସ୍ଥାନରେ ଆକାଶ ମେଘୁଆ ରହିପାରେ। ରାତି ତାପମାତ୍ରା ୪୮ ଘଣ୍ଟାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ୪୮ ଘଣ୍ଟା ପରେ ଦୁଇରୁ ତିନି ଡିଗ୍ରି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଆକଳନ ଅନୁଯାୟୀ ବୁଧବାର ବର୍ଷା ଲାଗିରହିବ। ଗଞ୍ଜାମ, ଗଜପତି, ନୟାଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ଜଗତ୍ସିଂହପୁର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟାରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ହାଲୁକା ବର୍ଷା ହେବ।
ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଫୁଲବାଣୀରେ ୧୩, ରାଉରକେଲାରେ ୧୩.୧, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୩.୩, ଦାରିଙ୍ଗବାଡ଼ିରେ ୧୩.୫, ଝାରସୁଗୁଡ଼ାରେ ୧୩.୬, ସୁନ୍ଦରଗଡ଼ରେ ୧୪ ଡିଗ୍ରି ରହିଥିଲା। ଆଜି ଦିନ ସମୟରେ କଟକରେ ୧୧.୪ ମିମି ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୭, ନୟାଗଡ଼ରେ ୫, କୋରାପୁଟରେ ୪.୨, ତାଳଚେର ଓ ଅନୁଗୁଳରେ ୩ ମିମି ଲେଖାଏଁ ବର୍ଷା ହୋଇଛି।