କଟକ ସହରରେ ସ୍ଵରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯାନୁଷ୍ଠାନ: ଦୁଇ ଇଞ୍ଜିନିୟରଙ୍କ ବଦଳି, ଜୁନିଅର ଇଞ୍ଜିନିୟର ନିଲମ୍ବିତ  

ମୃତକଙ୍କ ପରିବାର ପାଇଁ ଦଶ ଲଷ ଟଙ୍କା ଲେଖାଏ

ଭୁବନେଶ୍ୱର: ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଦାୟିତ୍ୱରେ ଅବହେଳାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ । ତଦନୁଯାୟୀ ଘଟଣାର ଆଜି ତଦନ୍ତ କରାଯାଇ କାର୍ଯ୍ୟକାରୀ ଇଂଜିନିୟର ତଥା ୱାଟ୍‌କୋ ଜିଏମ୍‌ ସୁଶାନ୍ତ ଘଡେଇ, ଏସ୍‌ଡିଓ ଏବଂ ଜିଏମ୍‌ ସୁବାସ ରାଉତଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ପ୍ରଦ୍ୟୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି। ତା ସହିତ ଜୁନିୟର ଇଞ୍ଜିନିୟର ଶ୍ରୀ ସାହୁ ଏବଂ ସର୍ଭିସ ପ୍ରୋଭାଇଡର ଶ୍ରୀ ଦୀପକ ନାୟକଙ୍କ ବିରୁଦ୍ଧରେ ସିଏମ୍‌ସି ପଷରୁ ଥାନାରେ ଏତଲା ଦିଆଯାଇଛି ।

ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ସେମାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଦଶ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଡି ଶିବାଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର