ଆମକୁ ଏକ ସମୟରେ ଦୁଇଟି ବିପଦର ମୁକାବିଲା କରିବାକୁ ପଡ଼ିବ, ସରକାର ଏଥିପାଇଁ ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯ଼େ ରାଜ୍ୟ ଏବେ ଏକ ସମୟରେ ଦୁଇଟି ବିପଦ- କରୋନା ମହାମାରୀ ଓ ବାତ୍ୟାର ସମ୍ମୁଖୀନ ହେଉଛି । ଏହି ବିପଦର ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଲୋକମାନଙ୍କୁ ପ୍ରଶାସନକୁ ସହଯ଼ୋଗ କରିବାକୁ ସେ ନିବେଦନ କରିଛନ୍ତି ।

ସେ କହିଛନ୍ତି, ସାଢେ ୪ କୋଟି ଓଡ଼ିଆ ତାଙ୍କର ପରିବାର ଓ ପରିବାରର ସୁରକ୍ଷା ତାଙ୍କର ପ୍ରାଥମିକତା । ରାଜ୍ୟ ଏବେ ଏକ ସମୟରେ ଦୁଇ ଦୁଇଟି ବିପଦର ସାମନା କରୁଛି । ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୋଧରେ ଲଢେଇ ଜାରି ରହିଛି । ଏହି ସମୟରେ ‘ୟାସ’ ବାତ୍ୟା ଆମପାଇଁ ଏକ ବଡ଼ ଆହ୍ବାନ ପାଲଟିଛି । ଆମକୁ ଏହାକୁ ସାମନା କରିବାକୁ ପଡ଼ିବ ଗତ ବର୍ଷ ଆମେ ମଧ୍ୟ କରୋନା ସହିତ ଅମ୍ପନ ବାତ୍ୟାର ସମ୍ମୁଖୀନ ହୋଇଥିଲୁ ଓ ତାହାର ସଫଳ ସାମନା କରିଥିଲୁ । ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, କିନ୍ତୁ ଆମକୁ ସତର୍କ ରହିବାକୁ ହେବ । ସାମାନ୍ୟ ଅବହେଳା ବଡ଼ ବିପଦକୁ ଟାଣି ଆଣିବ । ଏଣୁ ଲୋକମାନେ ପ୍ରଶାସନକୁ ସହଯ଼ୋଗ କରିବା ସହ ବାତ୍ୟା ଆଶ୍ରୟସ୍ଥଳକୁ ଚାଲିଆସନ୍ତୁ । ଆଶ୍ରୟସ୍ଥଳରେ ବି ଲୋକମାନେ ଡବଲ ମାସ୍କ ପିନ୍ଧନ୍ତୁ । ଏହା ସହିତ ବାରମ୍ବାର ସାବୁନରେ ହାତ ଧୁଅନ୍ତୁ ଓ ସାନିଟାଇଜର ବ୍ୟବହାର କରନ୍ତୁ ।

 

ସମ୍ବନ୍ଧିତ ଖବର