ଭୁବନେଶ୍ଵର: ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରିର ବିକାଶରେ ବିଧାୟକ ଭାବେ ଆଦିତ୍ୟ ମାଢ଼ିଙ୍କ ବଳିଷ୍ଠ ଯୋଗଦାନ ରହିଥିଲା। ଏଥିସହିତ ମାଲକାନଗିରି ଜିଲ୍ଲାରେ ଦଳକୁ ମଜବୁତ୍ କରିବାରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଜଣେ ଲୋକପ୍ରିୟ ରାଜନେତା ଭାବେ ଜିଲ୍ଲାବାସୀଙ୍କ ନିକଟରେ ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସଂତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି ଆମ ଦଳର ନେତା ତଥା ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସ୍ଥାନୀୟ ନିର୍ବାଚନମଣ୍ଡଳୀରେ ଜନକଲ୍ୟାଣକାରୀ କାର୍ଯ୍ୟ ବିଶେଷ ଭାବରେ ଆଦିବାସୀଙ୍କ ସେବା ପାଇଁ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।

ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ‌୫୧ ବର୍ଷ ବୟସ‌ରେ ତାଙ୍କର ପ‌ରଲୋକ ହୋଇଯାଇଛି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଏକ ବର୍ଷ ହେଲା ଅସୁସ୍ଥ ଥିଲେ। ନିକଟରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।

ଭାରତୀୟ ଜନତା ପାର୍ଟି (ବିଜେପି) ଟିକେଟରେ ଆଦିତ୍ୟ ମାଢ଼ି ଷୋଡ଼ଶ ବିଧାନସଭାକୁ ୨୦୧୪ରେ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ପଦ୍ମଚରଣ ମାଢ଼ିଙ୍କ ପୁଅ  ଆଦିତ୍ୟ  ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ବାପାନପାଲ୍ଲୀ ନିକଟ ରୋଦାନପାଲି ଗାଁରେ ୧୯୭୪ ମସିହା ଜୁଲାଇ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ନନ୍ଦିନୀ ମାଢ଼ିଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ୨ ଜଣ ଝିଅ ଅଛନ୍ତି। ବିଧାୟକ ହେବା ପୂର୍ବରୁ ସେ ଚାଷ କାମ ସହ ସରକାରୀ ବିଦ୍ୟାଳୟ‌ରେ ଶିକ୍ଷକ ଥିଲେ। ସାଧାରଣ ଜନତାଙ୍କ ନିକଟକୁ ଯାଇ ସେମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବାକୁ ଭଲ ପାଉଥିଲେ। ସ୍ବର୍ଗତ ଆଦିତ୍ୟ ମାଢୀ ଜଣେ ପରୋପକାରୀ, ଧର୍ମପରାୟଣ, ଶିକ୍ଷାବିତ ଏବଂ ଜଣେ ସ୍ବୟଂ ସେବକ ଥିଲେ।