ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏମ୍‌ସିଏଲ୍‌ର ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୪ ଜଣଙ୍କ ପରିବାରଙ୍କ ପ୍ରତି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ | ଏଠାରେ ସୂଚନା ଥାଉ କି ବୁଧବାର ସନ୍ଧ୍ୟାରେ ଜଣେ ଶ୍ରମିକଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ସକାଳେ ପମ୍ପ ଖଲାସି ରାଜକିଶୋର ମହାପାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି |

ତେବେ ଏବେ ବି ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସୁରକ୍ଷା ଗାର୍ଡ ରମେଶ ଦାସ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଗତ ମଙ୍ଗଳବାର ରାତି ପ୍ରାୟ ସାଢେ ୧୦ଟା ସମୟରେ ଭରତପୁର କୋଇଲା ଖଣିରେ ଏକ ମାଟି ଓ କୋଇଲା (ଓଭରବର୍ଡନ) ଗଦା ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଅନ୍ୟୂନ ଚାରିଜଣ କାର୍ଯ୍ୟରତ ଶ୍ରମିକଙ୍କ ସହ ଏକାଧିକ ଗାଡ଼ିମଟର, କୋଇଲା ଉତ୍ତୋଳନ ଯନ୍ତ୍ର ଚାପି ହୋଇ ରହିଥିଲା। ଏବେ ଏନ୍‌ଡିଆଆରଏଫର ଏକ ୯ ଜଣିଆ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ତେବେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ସାହାଯ୍ୟ ଭାବେ ୫ ଲକ୍ଷ ଟଙ୍କା ସହିତ କର୍ମଚାରୀ କ୍ଷତିପୂରଣ ନିୟମ, ଗ୍ରାଚ୍ୟୁଇଟି ନିୟମ ଓ ପ୍ରୋଭିଡେଣ୍ଟ ଫଣ୍ଡ ନିୟମ ଅନୁଯାୟୀ ସମସ୍ତ ସହାୟତା ସହିତ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଏମ୍‌ସିଏଲ୍ ପକ୍ଷରୁ ସୂଚନା ଦିଆଯାଇଥିଲା |

ସମ୍ବନ୍ଧିତ ଖବର