୬ଟି ଜିଲ୍ଲାର ମେଡିକାଲ ପାଇଁ ଆର୍ଥିକ ସହାୟତା ସହ ଅନ୍ୟାନ୍ୟ ସୁବିଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ରକ୍ତଦାନ ପାଇଁ ଏସପିଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: ୬ଟି ଜିଲ୍ଲାର ମେଡିକାଲକୁ ନେଇ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ମୋ ସରକାର ଟିମର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ରିପୋର୍ଟ ସହ ରୋଗୀ ଓ ଡାକ୍ତରମାନଙ୍କ ମତାମତ ପରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ନୂଆ ଘୋଷଣା ମୁତାବକ ୫ଟି ଜିଲ୍ଲା ( ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡା ଓ ସୋନପୁର)ର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜ ଆଦି  ୬ଟି ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯୋଗାଇଦିଆଯିବ | ଏହି ୬ଟି ଜିଲ୍ଲାର ପୁଲିସ ଏସପିମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ | ରୋଗୀଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରାଯିବ |

ସେହିପରି ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ ମା ଗୃହ ପାଇଁ ନୂତନ ବିଲଡିଂ ନିର୍ମାଣ କରାଯିବ | ଏଠାରେ ଡାଇଲିସିସ ୟୁନିଟ ସହ ଆଇସିୟୁ ମଧ୍ୟ ପ୍ରତିଷ୍ଠା କରାଯିବ | ଦେବଗଡ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ | ଅନୁଗୁଳ ଜିଲ୍ଲାର ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବା ସହ ଡାଇଲିସିସ ୟୁନିଟର ସମ୍ପ୍ରସାରଣ କରାଯିବ |

କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବା ସହ ନୂଆ କ୍ୟାମ୍ପସରେ ଷ୍ଟାଫ କ୍ୱାଟର୍ସ ସହ ଆଇସିୟୁ ସ୍ଥାପନ କରାଯିବ | ସୋନପୁର ଜିଲ୍ଲାର ସଦର ମହକୁମା ହସ୍ପିଟାଲର ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲଡିଂର ନିର୍ମାଣ କାର୍ଯ୍ୟ ୧ ମାସ ମଧ୍ୟରେ ଆରମ୍ଭ କରାଯିବା ସହ ହସ୍ପିଟାଲ ସେବାର ମାନ ବୃଦ୍ଧି ପାଇଁ ୫ଟି ନୂଆ ଯନ୍ତ୍ରପାତି ମଧ୍ୟ ଯୋଗାଇଦିଆଯିବ | ସେହିପରି ନୂଆ ଘୋଷଣା ମୁତାବକ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ ବିଲଡିଂ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |

ସମ୍ବନ୍ଧିତ ଖବର