ଭୁବନେଶ୍ବର : ଆଜି ବେଲପାହାଡ଼ଠାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଏସଏପି ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ନିକଟତମ ସମ୍ପର୍କିୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନ ହେଲେ ଏସଓଏପି ୨ୟ ବାଟାଲିୟନର ଏସ.ପନ୍ଥ ଓ ୨ୟ ଏସଏସ ବାଟାଲିୟନର ପ୍ରଶାନ୍ତ ବେହେରା । ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ । ସେହିପରି ଆହତମାନଙ୍କ ପାଉଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ ଯେ ଆଜି ସକାଳ ୬ଟା ୩୦ ବେଳେ ବେଲପାହାଡ଼ଠାରେ ୪୯ ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ ନିକଟରେ ଏକ ପୁଲିସ ଭ୍ୟାନକୁ ଗୋଟିଏ ଟ୍ରକ ଧକ୍କା ଦେବାରୁ ଦୁଇ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୪ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ବୁର୍ଲା ଭିମସାର ହସପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ବୁର୍ଲାଯାଇ ଆହତମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି ।
ଏହି ପୁଲିସ ଭ୍ୟାନଟି ବନହରପାଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାାଉଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନହରପାଲିଠାରେ ଥିବା ଓପିଜିସିର ୨ୟ ଓ ୩ୟ ୟୁନିଟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।