ଆମେ ଲୋକଙ୍କୁ ସେବା ଯୋଗାଇ ଦେବାରେ ବିଶ୍ବାସ କରୁ : ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆନନ୍ଦପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପ୍ରଥମେ ସେ ଆନନ୍ଦପୁର ବ୍ୟାରେଜ୍‌ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ | ପ୍ରାୟ ୪୭୫କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ୟାରେଜ୍ ହେବା ଫଳରେ ବହୁ ଦିନର ଅଞ୍ଚଳବାସୀଙ୍କର ସ୍ବପ୍ନ ପୂରଣ ହେଲା ବୋଲି କୁହାଯାଉଛି। ଏହି ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ହୋଇଥିବା ବେଳେ ଜଳଧାରଣ କ୍ଷମତା ୩୫୦ ଲକ୍ଷ ଘନ ମିଟର । ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡ଼ିହି ଓ ଘସିପୁରା ବ୍ଲକରେ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା, ଔପଦା, ନୀଳଗିରି, ବହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋର ବ୍ଲକର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ ।

ଏହାପରେ ମୁଖ୍ୟମନ୍ତ୍ରୀ ବି.ଏନ୍‌ ହାଇସ୍କୁଲର ପ୍ଲାଟିନମ ଜୁବ୍‌ଲିରେ ଯୋଗ ଦେଲେ । ସେଠାରୁ ଆନନ୍ଦପୁରର ମିନି ଷ୍ଟାଡିଅମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ ବି କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ‘ ବ୍ୟାରେଜ୍ ହେବା ଫଳରେ ଚାଷ ପାଇଁ ମିଳିବ ଜଳସେଚନ ସୁବିଧା ମିଳିବ। ଏହାଦ୍ବାରା କେନ୍ଦୁଝର ଜିଲ୍ଲାର ତିନିଟି ବ୍ଲକ୍ ଏବଂ ବାଲେଶ୍ବର ଜିଲ୍ଲାର ସାତଟି ବ୍ଲକର ଚାଷୀମାନେ ଉପକୃତ ହେବେ। ୨୦୦୯ରେ ମୁଁ ଏହି ବ୍ୟାରେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି।’ ସେ ଆହୁରି ମଧ୍ୟ କହିଛନ୍ତି ‘ଆମେ ଲୋକଙ୍କୁ ସେବା ଯୋଗାଇ ଦେବାରେ ବିଶ୍ବାସ କରୁ। ବିକାଶର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଛି।’

ସମ୍ବନ୍ଧିତ ଖବର