ପାପ ଧୋଇବାକୁ ଅନ୍ଧବିଶ୍ବାସ : ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ପାହାର

ମାଲକାନଗିରି : ପାପ କରିଥିଲେ ଖାଇବାକୁ ପଡ଼ିବ ଚାବୁକ ପାହାର। ପରଂପରା ନାମରେ ଏଭଳି ଅନ୍ଧବିଶ୍ବାସ ମାଲକାନଗିରି ସୀମାନ୍ତ ଛତିଶଗଡର ଗୌରାଗୌରୀ ମନ୍ଦିରରେ ଦୀର୍ଘ ବର୍ଷ ହେଲା ପ୍ରଚଳିତ। ତେବେ ଏଭଳି କଳୁଷିତ ପରଂପରାରେ ନିଜକୁ ସାମିଲ କରି ପ୍ରୋତ୍ସାହିତ କରିଛନ୍ତି ନିଜେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ଦୀପାବଳି ଅବସରରେ ପୂଜକଙ୍କ ଠାରୁ ଖାଇଛନ୍ତି ଚାବୁକ ପାହାର। ଯନ୍ତ୍ରଣାକୁ ସହ୍ୟ କରି ପରଂପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରିଛନ୍ତି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜେ ମୁଖ୍ୟମନ୍ତ୍ରୀ ଏମିତି ପରଂପରାରେ ସାମିଲ ହୋଇ ସମାଜକୁ ଭୁଲ୍ ବାର୍ତ୍ତା ଦେଉଛନ୍ତି ବୋଲି ମଧ୍ୟ ଆଲୋଚନା ଆରମ୍ଭ ହେଲାଣି।

ଛତିଶଗଡ଼ର ଜଂଜଗିରି ଠାରେ ନିଆରା ପରଂପରା ପ୍ରଚଳିତ। ପ୍ରତିବର୍ଷ ଦୀପାବଳି ସମୟରେ ସ୍ଥାନୀୟ ଲୋକ ଗୌରାଗୌରୀଙ୍କ ପୂଜାକୁ ମହାଆଡ଼ମ୍ବର ସହକାରେ ପାଳନ କରନ୍ତି। ତେବେ ଏହି ପୂଜାରେ ରହିଛି ସ୍ବତନ୍ତ୍ରତା। ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାପ ଧୋଇବା ପାଇଁ ଏଠାରେ ଦିଆଯାଏ ସୁଯୋଗ। କିନ୍ତୁ ଏଥିପାଇଁ ଯନ୍ତ୍ରଣାକୁ ସହ୍ୟ କରିବାକୁ ହୋଇଥାଏ। ଯେମିତି ମନ୍ଦିର ପୂଜକଙ୍କ ଠାରୁ ଚାବୁକରେ ନିର୍ଘାତ ପାହାର ଖାଇଲେ ସବୁ ପାପ ଧୋଇଯାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ ନିଜ ପାପ ଧୋଇବା ପାଇଁ ଏହି ମନ୍ଦିରକୁ ଆସନ୍ତି।

ଏହି ଅଞ୍ଚଳକୁ ଗସ୍ତରେ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମନ୍ଦିରର ଭିନ୍ନ ପରଂପରା ସଂପର୍କରେ ଜାଣିବା ପରେ ପହଞ୍ଚି ଯାଇଥିଲେ। କେହି ଜଣେ ସମର୍ଥକ ପାପ ଧୋଇବାକୁ ହେଲେ ପୂଜକଙ୍କ ଠାରୁ ଚାବୁକରେ ପାହାର ଖାଇବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଚାବୁକ ମାଡ଼ ଖାଇବାକୁ ଆଗେଇ ଆସିଥିଲେ ନିଜେ ମୁଖ୍ୟମନ୍ତ୍ରୀ। ହାତ ଦେଖାଇ ପୂଜକଙ୍କୁ ଚାବୁକ ଚଲାଇବାକୁ ନିର୍ଦେଶ ଦେଇଥିଲେ। ହଜାର ହଜାର ଲୋକଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକରେ ପିଟିବା ପୂଜକଙ୍କ ଚିନ୍ତା ବଢ଼ାଇ ଦେଇଥିଲା। କିଛି ସମୟ ପାଇଁ ବ୍ୟସ୍ତବିବତ୍ର ହୋଇଯାଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ପୁଣି ଥରେ ନିବେଦନ କରିବାରୁ ପୂଜକ ଜଣକ ବାଧ୍ୟ ହୋଇଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ସେ ନମସ୍କାର ମୁଦ୍ରାରେ କ୍ଷମା ‌ପ୍ରାର୍ଥନା ମାଗିଥିଲେ। ଏହାପରେ ୫ଥର ଚାବୁକରେ ହାତକୁ ଆଘାତ କରିଥିଲେ। ମୁଖ୍ୟମନ୍ତ୍ରୀ ଚାବୁକରେ ମାଡ଼ ଖାଇ ଯନ୍ତ୍ରଣା ଅନୁଭବ କରିଥିଲେ ମଧ୍ୟ ପାଟି ଖୋଲିନଥିଲେ। ନିକଟରେ ରହିଥିବା ତାଂକ ସହଯୋଗୀମାନେ ଧରିବାକୁ ଚେଷ୍ଟା କରିଥିଲେ। ତେବେ ସେ ସମସ୍ତ ସହାୟତାକୁ ପ୍ରତ୍ୟାଖ୍ୟାନ କରି ହସ ହସ ମୁହଁରେ ନିଶ୍ଚଳ ଠିଆ ହୋଇ ରହିଥିଲେ।

ଜଣେ ମୁଖ୍ୟମନ୍ତ୍ରୀ ପାପ ଧୋଇବାକୁ ଏଭଳି ଚାବୁକରେ ମାଡ଼ ଖାଇବା ଘଟଣା ଲୋକଙ୍କୁ ଯେତିକି ଚକିତ କରୁଛି ସେତିକି କୌତୂହଳ ବଢ଼ାଇ ଦେଇଛି। କେହି କେହି ଏହାକୁ ସମାଲୋଚନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନିଶ୍ଚିତ ରୂପେ କିଛି ବଡ଼ ପାପ କରିଛନ୍ତି ବୋଲି ତାଙ୍କ ନିନ୍ଦୁକ କହିବା ଆରମ୍ଭ କଲେଣି। ଅନ୍ୟପଟେ ମନ୍ଦିର କର୍ମକର୍ତ୍ତା ଏହି ନିଆରା ପରଂପରାକୁ ଦୀର୍ଘ ଦିନ ହେଲା ବଞ୍ଚାଇ ରଖିବାକୁ ଯଥାସମ୍ଭବ ପ୍ରୟାସ କରାଯାଇଛି। ଆଉ ଏହି ଭିନ୍ନତା ପାଇଁ ହିଁ ପ୍ରତିବର୍ଷ ଗୌରାଗୌରୀ ମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ଚାବୁକରେ ମାଡ଼ ଖାଇବାକୁ ଆସୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର