ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ବହୁ ଲୋକପ୍ରିୟ ନେତା ବିଭିନ୍ନ ବୁଥରେ ଭୋଟ୍‌ ଦେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି। ଆଜି ରାଜ୍ୟର ବହୁ ନାମୀ ଦାମୀ ବ୍ୟକ୍ତି ବିଭିନ୍ନ ମତଦାନ କେନ୍ଦ୍ରରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।
ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଏରୋଡ୍ରମ କଲୋନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୨ ନମ୍ବର ବୁଥ୍‌ରେ ନିଜର ମତଦାନ ଅଧିକାର ସାବସ୍ତ୍ୟ କରିଛନ୍ତି।

ରାଜ୍ୟସଭା ସାଂସଦ ତଥା କଟକ ଲୋକସଭା ଅନ୍ତର୍ଗତ ଖଣ୍ଡପଡ଼ା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଜି ସକାଳେ ଖଣ୍ଡପଡ଼ାର ଗଡ଼ମଲ ପ୍ରାଥମିକ ବିଦ୍ୟାଳୟରେ ବୁଥ୍‌ ନଂ-୭୭ରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରର ଆଇଆରସି ଭିଲେଜର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍‌ ନେଇଛନ୍ତି।

କଟକ ଲୋକସଭା ଆସନର ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ଆଜି ସକାଳେ କଟକର ମଣିସାହୁ ଛକସ୍ଥିତ ହାଡିବନ୍ଧୁ ବିଦ୍ୟାପୀଠରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଠିକ୍‌ ସେହିପରି କଟକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ୍‌ ଚାନ୍ଦିନୀଚୌକ ଉପ୍ରା ବିଦ୍ୟାଳୟରେ ଭୋଟ୍‌ ଦେଇଛନ୍ତି। କଟକ-ଚୌଦ୍ୱାର ବିଜେପି ପ୍ରାର୍ଥୀ ନୟନ ରଂଜନ ମହାନ୍ତି କଟକର ମହାନଦୀ ବିହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମତ ଅଧିକାର ସାବ୍ୟସ୍ତ କରିଛନ୍ତି। କଟକ- ବାରବାଟୀ ବିଦ୍ୟାଳୟରେ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ମଧ୍ୟ ଝାଂଜିରିମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ପିସିସି ସଭାପତି ନିରଂଜନ ପଟ୍ଟନାୟକ ବି କେନ୍ଦୁଝର ସଦର ନିବର୍ବାଚନ ମଣ୍ଡଳୀର ୨୫୨ ନଂ ବୁଥରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।ଢେଙ୍କାନାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଢେଙ୍କାନାଳ ସହରରୁ ଜୁବୁଲି ଟାଉନ୍‌ ସ୍କୁଲ୍‌ରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର