ନବ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଟୁଇଟ୍‌ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ନବ ଦାସଙ୍କ ଅସ୍ବାଭାବିକ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ମର୍ମାହତ ହୋଇଛନ୍ତି। ସ୍ବର୍ଗତ ଶ୍ରୀ ଦାସଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବ ଦାସ ଉଭୟ ସରକାର ଓ ଦଳ ପାଇଁ ମୂଲ୍ୟବାନ ଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରବଳ ଉଦ୍ୟମ କରିଥିଲେ। କିନ୍ତୁ ପ୍ରଗାଢ଼ ଚେଷ୍ଟା ସତ୍ତ୍ବେ ମେଡିକାଲ ବିଶେଷଜ୍ଞ ଟିମ୍‌ ବଞ୍ଚାଇ ପାରି ନଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଥିବା କାଳରେ ନବ ଦାସ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ବିଜେଡିକୁ ମଜବୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଦଳମତ ନିର୍ବିଶେଷରେ ତାଙ୍କୁ ସମସ୍ତେ ଭଲ ପାଉଥିଲେ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ଆଜି ଗୁରୁତର ଅବସ୍ଥାରେ ଭୁ‌ବନେଶ୍ବର ଆପଲୋ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ନବ ଦାସଙ୍କୁ ଭେଟିଥିଲେ। ସେଠାରେ ନିଜେ ସ୍ଥିତି ଅନୁଧ୍ୟାନ କରିଥିଲେ। ଡାକ୍ତରଙ୍କ ସହ ଆଲୋଚନା ବେଳେ କହିଥିଲେ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସର୍ବୋତ୍ତମ ଚିକିତ୍ସା ଦିଅନ୍ତୁ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କହିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କୁ ଗୁଳିମାଡ ପରେ ହସ୍ପିଟାଲରେ ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କ ସହ ଯେଉଁ ଭଳି ଘଟଣା ଘଟିଛି, ଏହା ମୋତେ ବ୍ୟଥିତ କରିଛି। ଜନପ୍ରତିନିଧି ଭାବରେ ତାଙ୍କର କାର୍ଯ୍ୟ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି ସ୍ବର୍ଗତ ନବ ଦାସଙ୍କ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପିସିସି ରାଜ୍ୟ ସଭାପତି ଶରତ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ନବ ଦାସ ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ଗାନ୍ଧିଛକ ଫାଣ୍ଡିରେ ମୁତୟନ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରିଥିଲେ। ନବ ଦାସଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।

 

ସମ୍ବନ୍ଧିତ ଖବର