ଭଦ୍ରକ ଦୁର୍ଘଟଣାରେ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣା: କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୋକ, ନବୀନ ଘୋଷଣା କଲେ ଅନୁକମ୍ପା ରାଶି

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଜାତୀୟ ରାଜପଥ ନମ୍ବର ୧୬ରେ ଗୁରୁବାର ଅପରାହ୍ନରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ମୃତକଙ୍କ ପରିବାର ପ୍ରତି ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା ପରିଛନ୍ତି। ଆହତ ଛାତ୍ରଛାତ୍ରୀଙ୍କ ଆରୋଗ୍ୟ କାମନା କରି ସେମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଦେବା ପାଇଁ ସେ ଆଦେଶ ଦେଇଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭଦ୍ରକ ସଡ଼କ ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଆଜି ଅପରାହ୍ନରେ ରାଣୀତାଲ ହାଇ ସ୍କୁଲ ଛୁଟି ହେବା ପରେ ପିଲାମାନେ ଘରକୁ ଫେରୁଥିଲେ। ଏହି ସମୟରେ ରାହାଞ୍ଜ ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ପିଲାମାନଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଲରେ ହିଁ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ୧୦ ଚକିଆ ଟ୍ରକ ଚଢ଼ିଯିବାରୁ ଅନୁରାଳି ଗାଁର ୫ ଜଣ ୮ମ ଓ ୯ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ସେହିପରି ଦୁର୍ଘଟଣା ଘଟାଇଥିବା ଚାଳକ ଫେରାର ହୋଇ ଯାଉଥିବା ବେଳେ, ଉତ୍ତ୍ୟକ୍ତ ଲୋକେ ତାକୁ କାବୁ କରିନେଇଛନ୍ତି।

ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ଗୁରୁତର ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉତ୍ତେଜନା ଦେଖାଯାଇଛି। ଉତ୍ତେଜିତ ଲୋକେ ଜାତୀୟ ରାଜପଥ ୧୬ ନମ୍ବରରେ ଦୁର୍ଘଟଣା ସହିତ ସଂପୃକ୍ତ ଟ୍ରକରେ ନିଅାଁ ଲଗାଇ ଦେଇଛନ୍ତି। ସେମାନେ ରାସ୍ତା ଅବରୋଧ କରିବା ପରେ ପରେ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି। ପୁଲିସ ଓ ଅଗ୍ନିଶମ ବିଭାଗ ଦୁର୍ଘଟଣାସ୍ଥଳକୁ ପହଞ୍ଚିଛି।

ସମ୍ବନ୍ଧିତ ଖବର