ପାଗଳ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାଗଳର ଆକ୍ରମଣରେ ୨ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କ ଘୋଷଣା ଅନୁସାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ। ଆକ୍ରମଣ ଘଟଣାରେ ଆହତ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବଜାରରେ କିଛି ଦିନ ତଳେ ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିଙ୍କ ଠେଙ୍ଗା ଓ ପଥର ମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ବଜାର ଅଂଚଳରେ ବୁଲାବୁଲି କରୁଥିବା ବେଳେ ପାଗଳର ଆକ୍ରମଣରେ ୫ ଜଣ ଆହତ ହୋଇଥିଲେ। ଘଟଣା ପରେ ୨ ଜଣ ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପାଗଳଙ୍କ ଉନ୍ମତ କାଣ୍ଡ ସଂପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ମାତ୍ର ପୁଲିସ ଘଟଣାସ୍ଥଳକୁ ବିଳମ୍ବରେ ପହଂଚିଥିଲା। ଫଳରେ ସ୍ଥାନୀୟ ଉତ୍ତେଜିତ ଲୋକେ ଓଡ଼ଗାଁ ଠାରେ ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର