କବି ରବି ସିଂଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖ୍ୟାତନାମା କବି ରବି ସିଂଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଦିବଂଗତ ରବି ସିଂଙ୍କୁ ଅତ୍ୟନ୍ତ ପ୍ରତିଭାବାନ କବି, ଅନେକ ସାହିତ୍ୟ କୃତୀର ସ୍ରଷ୍ଟା ଏବଂ ବାସ୍ତବ ଦେଶପ୍ରେମୀ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସେ ଟୁଇଟ୍‌ କରି ଲେଖିଛନ୍ତି: ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ମୃତ୍ୟୁରେ ଆଧୁନିକ ଓଡ଼ିଆ ସାହିତ୍ୟରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ସମାଜବାଦ, ମାନବ ଅଧିକାର ଏବଂ ଶ୍ରେଣୀହୀନ ସମାଜ ଭଳି ବାର୍ତ୍ତା ତାଙ୍କ କବିତାର ବୈଶିଷ୍ଟ୍ୟ।

ସ୍ୱାଧୀନତା ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ବିପୁଳ ଅବଦାନ ନିମନ୍ତେ ସ୍ୱର୍ଗତ ରବି ସିଂଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର