ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଓଡ଼ିଶାକୁ ସ୍ପେସାଲ୍ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଲୋକସେବା ଭବନର ସମ୍ମେଳନ କକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣରେ ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ୍ ମାନ୍ୟତା ଦାବି କରିଛନ୍ତି। ଓଡ଼ିଶା କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଥିବାରୁ ସ୍ପେଶାଲ ଫୋକସ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସାମୁଦ୍ରିକ ଝଡ଼ ‘ଫନି’ ସମୟରେ ସହାୟତା ପ୍ରଦାନ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ୪ଟି ପ୍ରସଙ୍ଗ ଉଠାଇଛନ୍ତି ନବୀନ। ସେ କହିଥିଲେ, ଜାତୀୟ ସଂହତି ଓ ରାଜ୍ୟ-ରାଜ୍ୟ, କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ। ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧରେ ସଂହତି ଆସିବା ଦରକାର।

ଏଥିସହ  ଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ ସେବା ଓ ରେଳ, ସଡ଼କ ସଂଯୋଗ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ। କାରଣ କେନ୍ଦ୍ର ତାଲିକାରେ ଏହି ସବୁ ପ୍ରସଙ୍ଗ ଆସୁଥିଲେ ଥିଲେ ମଧ୍ୟ ପୂର୍ବାଞ୍ଚଳ ପଛରେ ରହିଛି । ଏହି ତିନିଟି କ୍ଷେତ୍ରରେ ପୂର୍ବାଞ୍ଚଳ ଦେଶର ଅନ୍ୟ ଅଞ୍ଚଳଠାରୁ ଢ଼େର ପଛରେ ରହିଛି। ସେହିପରି ଦେଶର ଖଣିଜ ସମ୍ପଦ କ୍ଷେତ୍ରରେ ପୂର୍ବାଞ୍ଚଳର ଅବଦାନ ସର୍ବାଧିକ ହୋଇଥିବା ହେତୁ ପୂର୍ବାଞ୍ଚଳର ଅର୍ଥନୈତିକ ବିକାଶରେ ଏହାର ଫଳ ବିନିଯୋଗ ହେଉ ବୋଲି ସେ କହିଛନ୍ତି। ୨୦୧୨ରୁ କୋଇଲା ରୟାଲ୍‌ଟି ଦର ପୁନଃ ନିର୍ଦ୍ଧାରିତ ହୋଇନଥିବା ହେତୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ ଦୃଷ୍ଟିକୋଣରୁ ଜାତୀୟ ସହମତି ଜରୁରୀ ଏବଂ ସବୁର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ଦୁଇଗୁଣା ହେବା ଉଚିତ୍ ବୋଲି ମତ ଦେଇଛନ୍ତି ନବୀନ ପଟ୍ଟନାୟକ।

ଏହି ୪ ରାଜ୍ୟରେ ଆଦିବାସୀ ବହୁଳ ଅଞ୍ଚଳ ଅଧିକ ହୋଇଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛନ୍ତି ନବୀନ ପଟ୍ଟନାୟକ।ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣାରେ ସବସିଡି ନ ଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହିତ ମାଗଣା ଜମି ଦେଉଥିଲେ ବି କାମ ଆଗକୁ ବଢ଼ୁ ନଥିବା ପ୍ରସଙ୍ଗ ମଧ୍ୟ ପରିଷଦ ବୈଠକରେ ଉଠାଇଛନ୍ତି ନବୀନ ।

ସମ୍ବନ୍ଧିତ ଖବର