କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା: ତଦାରଖ ପାଇଁ ବାହାନଗା ଯିବାକୁ ଏସ୍‌ଆରସି, ରାଜସ୍ବମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ହୋଇଛନ୍ତି। ସେ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି), ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁର୍ଘଟଣାର ସାମ୍ନା କରିଥିବା ଅନେକ ଯାତ୍ରୀ ଟ୍ରେନ୍‌ରେ ଚାପି ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲୱନ୍ତ ସିଂହ, ଅଗ୍ନିଶମ ଡିଜି ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଆହତ ଏବଂ ଗୁରୁତରମାନଙ୍କୁ ଚିକିତ୍ସା ଯୋଗାଇବା ପାଇଁ ବାଲେଶ୍ବର ମେଡିକାଲ କଲେଜ, କଟକ ବଡ଼ମେଡିକାଲ କଲେଜ ଓ ୩ଟି ଜିଲ୍ଲା ଡାକ୍ତରଖାନାକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଡାକ୍ତରଖାନାଗୁଡ଼ିକରେ ଆହତ ଏବଂ ଗୁରୁତରମାନଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍‌ ପ୍ରସ୍ତୁତ ରହିଛନ୍ତି। ସେହିପରି ଏନ୍‌ଡିଆରଏଫ୍‌ର ୩ଟି ଟିମ୍‌, ଓଡ୍ରାଫ୍‌ର ୪ଟି ଟିମ୍‌, କିଛି ଅଗ୍ନିଶମ ବାହିନୀ, ୫୦ଟି ଆମ୍ବୁଲାନ୍ସ ଗାଡ଼ି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସୂଚନାଯୋଗ୍ୟ, କରମଣ୍ଡଳ ଏକ୍ସପ୍ରେସ୍ ଆଜି ଶାଲିମାର ଷ୍ଟେସନ୍‌ରୁ ଚେନ୍ନାଇ ଅଭିମୁଖେ ଅପରାହ୍ଣ ୩ଟା ୩୦ରେ ବାହାରିଥିଲା। ସନ୍ତ୍ରାଗାଛି ଷ୍ଟେସନ୍‌ରୁ ଏହି ଟ୍ରେନ୍‌ ୩ଟା ୪୩, ଖଡ଼ଗପୁରରୁ ସନ୍ଧ୍ୟା ୫ଟା ଓ ବାଲେଶ୍ବର ଷ୍ଟେସନ୍‌ରୁ ସନ୍ଧ୍ୟା ୬ଟା ୩୦ରେ ଛାଡ଼ିଥିଲା। ରାତି ପ୍ରାୟ ୭ଟା ୨୦ ବେଳକୁ ଟ୍ରେନ୍‌ଟି ବାହାନଗା ଷ୍ଟେସନ୍‌ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା।

ସମ୍ବନ୍ଧିତ ଖବର