ଭୁବନେଶ୍ବର : ଏଣିକି ସରକାରୀ କର୍ମଚାରୀଙ୍କ ସମସ୍ତ ପଦୋନ୍ନତି ପ୍ରକ୍ରିୟା ପ୍ରତିବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ଆଜି ଲୋକସେବା ଭବନରେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ନେଇ ଥିବା ଆପତ୍ତି ଅସୁବିଧାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ, ପଦୋନ୍ନତି ପ୍ରକ୍ରିୟାରେ ଯେପରି ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ ହୁଏ ସେଥିପ୍ରତି ଯତ୍ନବାନ୍ ହେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଏ ନେଇ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅଯଥା ବିଳମ୍ବ, ହଇରାଣ ହରକତ ତଥା ଅସାଧୁ ଉପାୟ ଅବଲମ୍ବନ ହେଉଥିବା ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ଜିଲ୍ଲା, ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗୀୟ ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ପ୍ରକ୍ରିୟା ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ କରାଯାଇ ଜାନୁଆରି ୧ ତାରିଖ ସୁଦ୍ଧା ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବ। ପଦୋନ୍ନତି ଅପେକ୍ଷାରେ ଥିବା କୌଣସି ଯୋଗ୍ୟ ଅଧିକାରୀ ଓ କର୍ମଚାରୀ ଯେପରି ନିଜ ପଦୋନ୍ନତି ପାଇଁ ଏଠୁ ସେଠିକି ନ ଦୌଡ଼ିବେ, ସେଥିପାଇଁ ପ୍ରଚଳିତ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବିଳମ୍ବ ପାଇଁ ଦାୟୀ ମୁଖ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସତର୍କ କରାଇଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫'ଟି'ର ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ଭାବରେ ଦାୟିତ୍ବ ନିର୍ବାହ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏଚଆରଏମଏସ୍ ସୁବିଧା ଥାଇ ବି ପଦୋନ୍ନତି ଦେବା କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟୁଛି। ଆଗକୁ ଏପରି ବିଳମ୍ବ ଦୂର କରିବା ପାଇଁ ଆବଶ୍ୟକସ୍ଥଳେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଠିକ୍ ସମୟରେ ପଦୋନ୍ନତି ଦିଆଯିବ। ଯାହାଦ୍ବାରା ଟିମ୍ ଵାର୍କ ପାଇଁ କର୍ମଚାରୀ ଉତ୍ସାହିତ ହେବେ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Naveen_Position-Increment_Thumb-1.jpg)