ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା, ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗରେ ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ପ୍ରକ୍ରିୟା ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜାନୁଆରି ୧ ତାରିଖ ସୁଦ୍ଧା ପଦୋନ୍ନତି ଯୋଗ୍ୟ ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ପଦୋନ୍ନତି ଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏ ସଂପର୍କରେ ଅନୁପାଳନ, ମୁଖ୍ୟ ସଚିବଙ୍କ ନିକଟକୁ ପ୍ରେରଣ କରିବା ପାଇଁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଦୋନ୍ନତି କ୍ଷେତ୍ରରେ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ କ୍ଷେତ୍ରରେ ହେଉଥିବା ଅଯଥା ବିଳମ୍ବ, ହଇରାଣ ହରକତ ତଥା ଅସାଧୁ ଉପାୟ ଅବଲମ୍ବନ ହେଉଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭପ୍ରକାଶ କରିବା ସହିତ ଯଥା ସମୟରେ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ଅଧିକାରୀମାନଙ୍କୁ ପଦୋନ୍ନତି ଦିଆଯାଉ ବୋଲି ଆଗ୍ରହ ପ୍ରକଶ କରିଛନ୍ତି।
/sambad/media/post_attachments/wp-content/uploads/2019/11/Naveen-Patnaik1.jpg)
ପଦୋନ୍ନତି ଅପେକ୍ଷାରେ ଥିବା କୌଣସି ଯୋଗ୍ୟ ଅଧିକାରୀ ଓ କର୍ମଚାରୀ ଯେପରି ନିଜ ପଦୋନ୍ନତି ପାଇଁ ଏଠୁ ସେଠିକି ନ ଧାଇଁବେ, ସେଥିପ୍ରତି ପ୍ରଚଳିତ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ ଓ ଶୃଙ୍ଖଳା ଅଣାଯିବା ପାଇଁ ପରାମର୍ଶ ଦେବା ସହିତ ଅହେତୁକ ବିଳମ୍ବ କ୍ଷେତ୍ରରେ ସଂପୃକ୍ତ ମୁଖ୍ୟମାନଙ୍କୁ ଦାୟୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫-ଟିର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦାୟିତ୍ୱ ନିର୍ବାହ କରୁଥିବା ସରକାରୀ କର୍ମଚାରୀଙ୍କୁ ଏଚଆରଏମ୍ଏସ୍ ସୁବିଧା ଥାଇ ପଦୋନ୍ନତି ଦେବା କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟୁଥିବାରୁ ଆବଶ୍ୟକସ୍ଥଳେ ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଠିକ୍ ସମୟରେ ପଦୋନ୍ନତି ଦିଆଗଲେ ଟିମ୍ ଓ୍ଵାର୍କ ପାଇଁ କର୍ମଚାରୀ ଉତ୍ସାହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।