ରାଜ୍ୟରେ କୋଭିଡ୍‌ ବେଡ୍‌ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ସତର୍କ ରହିବାକୁ ଦେଲେ ପରାମର୍ଶ

ଭୁବନେଶ୍ବର: କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ରାଜ୍ୟରେ କୋଭିଡ୍‌ ବେଡ୍‌ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବା ପରେ ମଙ୍ଗଳବାର  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହୋଇଛି। ତେଣୁ ସେଠାରୁ ପ୍ରବାସୀ ଫେରିବା ସମ୍ଭାବନା ରହିଛି। ଏଣୁ ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ହେବ। କରୋନା ମୁକାବିଲା ପାଇଁ ସତର୍କ ରହିବାକୁ ପଡ଼ିବ। ଏଥିସହ ସର୍ବାଧିକ ବେଡ୍‌କୁ ଅମ୍ଲଜାନ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଅମ୍ଳଜାନ ‌କେତେ ଉପଲବ୍ଧ ଅଛି ସେଥିପ୍ରତି ଦୃଷ୍ଟି ରଖିବାକୁ ‌ହେବ। ରାଜ୍ୟରେ ଯେଭଳି ଔଷଧ ଅଭାବ ନରୁହେ ସେଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେବା ସହିତ କରୋନାର ୨ୟ ଲହର ଉପରେ ଲୋକଙ୍କୁ ଅଧିକରୁ ଅଧିକ ସଜାଗ କରିବାକୁ କହିଛନ୍ତି। ମିଶନ ଶକ୍ତି ଗ୍ରୁପ ଓ ପଂଚାୟତସ୍ତରୀୟ କର୍ମଚାରୀଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯାଇପାରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀଙ୍କ ଉପରେ ନଜର ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅନୁକରଣ କରାଯାଇଥିବା ପଦକ୍ଷେପକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କୁ ସଂଗରୋଧରେ ରଖିବା ଓ ସେମାନଙ୍କର ପରୀକ୍ଷା କରାଇବା  ଉପରେ ଗୁରୁତ୍ବ ଆରୋପ କରିଛନ୍ତି ସେ । ପ୍ରବାସୀମାନେ ଫେରିବା ସମ୍ଭାବନା ଥିବାରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର