ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ବିଶ୍ବାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି । ସମାଜର ଅବହେଳିତ ବର୍ଗର ଲୋକଙ୍କ ଉନ୍ନତି ତଥା ରାଜ୍ୟର ସାମୁହିକ ପ୍ରଗତି ପାଇଁ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ଵୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟୁଇଟ କରି ଲେଖିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଦକ୍ଷ, ବିରଳ ଓ ଅନୁଭବୀ ରାଜନୀତିଜ୍ଞଙ୍କୁ ହରାଇଲା ।
ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟ କରି ଲେଖିଛନ୍ତି ଯେ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ଖବର ପାଇଁ ମୁଁ ଦୁଃଖିତ । ସେ ସାରା ଜୀବନ କଂଗ୍ରେସର ଆଦର୍ଶକୁ ନେଇ ବଞ୍ଚିଥିଲେ ।
ସେହିପରି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ଶ୍ରୀ ବିଶ୍ବାଳଙ୍କ ମୃତ୍ୟୁରେ ଶୋକ ପ୍ରକଟ କରି କହିଛନ୍ତି ଯେ ଓଡ଼ିଶା ଜଣେ ଜନନାୟକଙ୍କୁ ହରାଇଲା ।