ହୋସ୍‌ଲା-୨୦୧୯ର କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଦେଶର ବିଭିନ୍ନ ଶିଶୁ ଯତ୍ନ ଗୃହମାନଙ୍କରେ ରହୁଥିବା ପିଲାମାନଙ୍କ ଜାତୀୟ ପ୍ରତିଯୋଗିତା ହୋସ୍‌ଲା-୨୦୧୯ରେ ଓଡ଼ିଶା ପ୍ରତିଯୋଗୀମାନେ ସର୍ବମୋଟ ୩୦ଟି ପଦକ ଜିତି ଜାତୀୟ ଚାମ୍ପିଅନ ହୋଇଛନ୍ତି। ଏଥିରେ ଓଡ଼ିଶାର ପ୍ରତିଯୋଗୀମାନେ ୧୪ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଏବଂ କାଂସ୍ୟ ପଦକ ଜିତିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଜାତୀୟ ସ୍ତରରେ ଓଡ଼ିଶାର ପିଲାମାନଙ୍କର ଏହି ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ ପ୍ରତିଯୋଗୀମାନଙ୍କ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ।

ମୁଖ୍ୟମନ୍ତ୍ରୀ ହୋସ୍‌ଲା-୨୦୧୯ରେ ଏକାଧିକ ପଦକ ଜିତିଥିବା ରଞ୍ଜିତା ପାତ୍ରଙ୍କୁ ଏକ ଲକ୍ଷ ପଚାଶ ହଜାର ଟଙ୍କା, ନନ୍ଦିତା ନାୟକଙ୍କୁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା, ଅର୍ଚ୍ଚିତା ଗୁପ୍ତାଙ୍କୁ ୯୫ ହଜାର ଟଙ୍କା, ପ୍ରସାଦ ଗମାଙ୍ଗଙ୍କୁ ୮୫ ହଜାର ଟଙ୍କା ଏବଂ ବିରାମ ହେମ୍ବ୍ରମଙ୍କୁ ୭୫ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁୁ, ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଏବଂ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର