ନବନିଯୁକ୍ତ ଡାକ୍ତରମାନଙ୍କୁ ସମ୍ବର୍ଧନା କଲେ ମୁଖ୍ୟମନ୍ତ୍ରୀ : ‘ଜଣେ ବି ଲୋକ ସେବାରୁ ବାଦ୍‌ ପଡ଼ିବା ଉଚିତ ନୁହେଁ’

ଭୁବନେଶ୍ବର : ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ଡାକ୍ତରମାନଙ୍କୁ ସମ୍ବର୍ଧନା ଜଣାଇଛନ୍ତି। ଅଙ୍ଗୀକାରବଦ୍ଧତା ସହକାରେ କାମ କରିବା ସହିତ ଜଣେ ବି ଲୋକ ଯେପରି ପ୍ରକୃତ ସେବାରୁ ବଞ୍ଚିତ ନ ହୁଅନ୍ତି, ସେ ଦିଗରେ କାର୍ଯ୍ୟ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ଗତ ଦୁଇ ଦିନ ଭିତରେ ରାଜ୍ୟରେ ସର୍ବାଧିକ ୧୫୬୦ ଜଣ ଡାକ୍ତରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ସେମାନଙ୍କୁ ସହକାରୀ ସର୍ଜନ ଭାବେ ନିଯୁକ୍ତି ଦିଆଯାଇଛି।

ଥରକେ ବହୁସଂଖ୍ୟାରେ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଥିଲେ। ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ଏହା ପ୍ରକୃତ ପକ୍ଷେ ଐତିହାସିକ ପଦକ୍ଷେପ। ବିଭିନ୍ନ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଯୋଗାଇଦେବା କ୍ଷେତ୍ରରେ ଡାକ୍ତରମାନେ କଠୋର ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ। ଯାହାଫଳରେ ଜଣେ ହେଲେ ବି ଲୋକ ଯେପରି ପ୍ରକୃତ ସେବା ପାଇବାରୁ ବାଦ୍‌ ପଡ଼ିବେ ନାହିଁ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୋଟିଏ ଦଫାରେ ସର୍ବାଧିକ ସଂଖ୍ୟକ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହା ଫଳରେ ରାଜ୍ୟରେ ମୋଟ ଡାକ୍ତରଙ୍କ ସଂଖ୍ୟା ୬୩୨୯ରେ ପହଞ୍ଚିଛି। ରାଜ୍ୟର ସମୁଦାୟ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବିର ଏହା ୯୪ ପ୍ରତିଶତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡା. ପ୍ରମୋଦ ମେହେର୍ଦା କହିଥିଲେ।

ଏହି ଅବସରରେ ନବନିଯୁକ୍ତ ଡାକ୍ତରମାନଙ୍କୁ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ସ୍ବାଗତ କରିଥିଲେ। ଓଡ଼ିଶାର ସ୍ବାସ୍ଥ୍ୟସେବା ସଂପର୍କିତ ଏକ ଭିଡିଓ ଉପସ୍ଥାପନା ପ୍ରଦର୍ଶନ କରାଯାଇଥିଲା। ନୂଆ ଡାକ୍ତରମାନଙ୍କ ମଧ୍ୟରୁ ନୟାଗଡ଼ ଜିଲ୍ଲାରେ ନିଯୁକ୍ତି ପାଇଥିବା ଡା. ବି ପଣ୍ଡା ଓ କେନ୍ଦ୍ରାପଡ଼ା ଜିଲ୍ଲାର ଡା. ସୌଭାଗ୍ୟ ନାୟକ କହିଥିଲେ ଯେ ରାଜ୍ୟ ସରକାରଙ୍କ ଡାକ୍ତର ସେବା କ୍ୟାଡର ପୁନର୍ବିନ୍ୟାସ ଓ ଡାକ୍ତରଙ୍କ ନିଯୁକ୍ତି ଓ ପଦୋନ୍ନତି ନୀତି ବେଶ୍‌ ଆକର୍ଷଣୀୟ। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କଠୋର ପରିଶ୍ରମ କରି ସେମାନେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି କହିଥିଲେ। ଏହି ସମ୍ବର୍ଧନା ଉତ୍ସବରେ ଉନ୍ନୟନ କମିସନର ଅସିତ ତ୍ରିପାଠୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର