ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାରାବ୍ୟାଡମିଣ୍ଟନ ରେ ଦେଶର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଆଣିଥିବା ପ୍ରମୋଦ ଭଗତ ଦେଶର କ୍ରୀଡ଼ା ଇତିହାସରେ ନିଜର ଛାପ ଛାଡ଼ିଛନ୍ତି । ତାଙ୍କ ସଫଳତା ଅନ୍ୟ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିବ । ସମ୍ବର୍ଦ୍ଧନା ଅବସରରେ ସେ ପ୍ରମୋଦଙ୍କୁ ୬ କୋଟିର ଚେକ୍ ପ୍ରଦାନ କରିଥିଲେ ।

ସମ୍ବର୍ଦ୍ଧିତ ହେବା ପରେ ପ୍ରତିକ୍ରିୟା ରଖି ପ୍ରମୋଦ କହିଛନ୍ତି ଯେ ବହୁ ଘାତ ପ୍ରତିଘାତ ମଧ୍ୟରେ ଆଗକୁ ଆସି ସେ ସ୍ବର୍ଣ୍ଣ ଜିତିଛନ୍ତି । ଏହି ସଫଳତା ପଛରେ ତାଙ୍କ ଗାଁ ଲୋକ ଓ କୋଚଙ୍କ ଅବଦାନ ରହିଛି । ଏହାଛଡ଼ା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିଛନ୍ତି ବୋଲି ସେ କହିଛନ୍ତି । ଡେପୁଟୀ କଲେକ୍ଟର ହେବା ପାଇଁ ସେ ଇଚ୍ଛା ବ୍ୟକ୍ତି କରିଛନ୍ତି । ତେବେ ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଦିଲୀପ ତିର୍କୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ, କ୍ରୀଡ଼ା ସଚିବ ଆର.ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।

ଆଜି ପ୍ରମୋଦ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଏୟାରପୋର୍ଟରୁ ଖୋଲା ଜିପରେ ଶୋଭାଯାତ୍ରାରେ ଅଣାଯାଇଥିଲା ।

ସମ୍ବନ୍ଧିତ ଖବର