ଭୁବନେଶ୍ୱର : ରାଇରଙ୍ଗପୁରର ସାହାସୀ ବାଳକ ସଚିନ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତବର୍ଷ ମାର୍ଚ୍ଚ ୭ତାରିଖରେ ରାଇରଙ୍ଗପୁର ଠାରେ ଏକ ଦୁଇ ମହଲା କୋଠା ଉପରୁ ଗୋଟିଏ ଶିଶୁ କନ୍ୟା ଖସି ପଡ଼ୁଥିବାବେଳେ ସଚିନ ତାଙ୍କୁ କ୍ୟାଚ୍ ଭଳି ଧରି ନେଇ ପିଲାଟିର ଜୀବନ ରକ୍ଷା କରିଥିଲେ। ତାଙ୍କର ଏହି ଅଭୁତପୂର୍ବ ସାହସ ଓ ବୁଦ୍ଧିମତା ପାଇଁ ସେ ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ସଚିନଙ୍କ ସାହସ ଓ ବିଚକ୍ଷଣ ବୁଦ୍ଧିମତାର ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ରୂପା ତାରକସିର ଏକ ଉପହାର ପ୍ରଦାନ କରିଥିଲେ। ସଚିନ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ବିଶିଷ୍ଟ ଆୟୁର୍ବେଦ ବିଶେଷଜ୍ଞ ଡା. ସ୍ୱପ୍ନେଶ୍ୱର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଡା. ପଣ୍ଡା ଆୟୁର୍ବେଦ କ୍ଷେତ୍ରରେ ନିଜର ଅବଦାନ ପାଇଁ ଅନେକ ପୁରସ୍କାର ପାଇଛନ୍ତି। ୨୦୦୭ରେ ସେ ଓଡ଼ିଶା ସରକାରଙ୍କ ଠାରୁ ପୀୟୁଷ ପାଣି ପୁରସ୍କାର, ୨୦୧୫ରେ ପ୍ରକୃତି ମିତ୍ର ପୁରସ୍କାର ପାଇଛନ୍ତି। ଆୟୁର୍ବେଦରେ ଜୀବନବ୍ୟାପୀ ସେବା ଓ ସାଧନା ପାଇଁ ୨୦୧୭ରେ କେନ୍ଦ୍ର ସରକାରଙ୍କ ଠାରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ ପାଇଛନ୍ତି।
ଡା. ପଣ୍ଡାଙ୍କ ଉତ୍ସର୍ଗୀକୃତ ସେବା ଓ ଆୟୁର୍ବେଦର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନର ଉଚ୍ଚ ପ୍ରଶଂସା କରିବା ସହ ଏକ ରୂପା ତାରକସି ଉପହାର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଡା.ପଣ୍ଡା ତାଙ୍କର ସେବା ଓ ସାଧନା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।