ଅଭିଯୁକ୍ତଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ହେବା ନେଇ ଆପତ୍ତି

ଜଳେଶ୍ବର : ଜଣେ ହତ୍ୟା ଅଭିଯୁକ୍ତଙ୍କ ନିକଟରୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ହେବାକୁ ବିରୋଧ କରିଛନ୍ତି ଜଳେଶ୍ବର ଥାନା ଇକଡ଼ା ଗ୍ରାମର ଶାନ୍ତିଲତା ସୁର। ଜଳେଶ୍ବର ପୂର୍ତ୍ତ ଡାକବଙ୍ଗଳା ପରିସରରେ ଆଜି ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସୁର ଏ ନେଇ ଆପତ୍ତି ଉଠାଇଛନ୍ତି।

ଶ୍ରୀମତୀ ସୁରଙ୍କ କହିବାନୁସାରେ, ୨୦୧୬ ମସିହା ସମ୍‌ ହସ୍‌ପିଟାଲ ଅଗ୍ନିକାଣ୍ଡରେ ତାଙ୍କ ସ୍ବାମୀ ନଗେନ୍ଦ୍ରନାଥଙ୍କ ସମେତ ୩୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ୩୨ ଜଣଙ୍କ ମୃତ୍ୟୁ ଘଟଣା ଏକ ହତ୍ୟାକାଣ୍ଡ ଥିଲା ବୋଲି ନଗେନ୍ଦ୍ରଙ୍କ ପତ୍ନୀ ଶାନ୍ତିଲତା, ପୁତ୍ର ଦିଲ୍ଲୀପ, ପୁତୁରା ଅଜିତ, ଆଇନଜୀବୀ ଗିରିଜା ଶଙ୍କର ଦାସ, ସିଦ୍ଧାର୍ଥ ଦାସ, ରାଜେଶ ପାତ୍ର, ନିଗମ ବ୍ରହ୍ମ, କ୍ଷୀତିଶ ଘୋଷ, ସମରେନ୍ଦ୍ର ଦାସ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ଏହି ଅଘଟଣ ପଛରେ ସମ୍ ହସ୍‌ପିଟାଲ ମାଲିକ ମନୋଜ ନାୟକ ହିଁ ଦାୟୀ। ନିମ୍ନମାନର ବୈଦ୍ୟୁତିକ କାର୍ଯ୍ୟ ହୋଇଥିବାରୁ ବଡ଼ଧରଣର ଅଗ୍ନିକାଣ୍ଡ ଘଟିବା ସହ ୩୨ଟି ଜୀବନ ଅକାଳରେ ଝଡ଼ି ପଡ଼ିଥିଲା। ଏଥିପାଇଁ ଶ୍ରୀ ନାୟକଙ୍କ ନାମରେ ଖଣ୍ଡଗିରି ଥାନାରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୪ ସହ ଅନ୍ୟାନ୍ୟ ଦଫାରେ (କେସ୍ ନଂ ୫୧୮/୨୦୧୬) ମାମଲା ରୁଜୁ ହୋଇଥିଲା। ଯାହାର ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇସାରିଛି। ସେହିପରି ଜମି ହଡ଼ପ ନେଇ ଇଡି ତାଙ୍କ ବିରୋଧରେ ତଦନ୍ତ କରୁଛି। ଏଭଳି ସ୍ଥିତିରେ ଗତ ୨୯ ତାରିଖରେ ଶ୍ରୀ ନାୟକଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ହେବା ତାଙ୍କ ପରି ପୀଡ଼ିତ ପରିବାରକୁ ଗଭୀର ଆଘାତ ଦେଇଛି ବୋଲି ଶାନ୍ତିଲତା କହିଛନ୍ତି। ୨୦୧୬ର ସେହି ଘଟଣାରେ ଶ୍ରୀ ନାୟକ କିପରି ଦଣ୍ଡିତ ହେବେ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଶାନ୍ତିଲତା ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର