ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ପାଇଁ ୨୯୯ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ଶିକ୍ଷା ବିଭାଗ ନିମନ୍ତେ ନବ ମନୋନୀତ ଅଧ୍ୟାପକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ମନୋନୀତ ହୋଇଥିବା ସମୁଦାୟ ୮୩୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୨୯୯ ଜଣଙ୍କୁ ନିଯୁକ୍ତି ଆଦେଶ ପତ୍ର ମିଳିଛି। ନଭେମ୍ବର ଶେଷ ସୁଦ୍ଧା ସେମାନଙ୍କ ଅବସ୍ଥାନ ପ୍ରକ୍ରିୟା ଶେଷ ହେବ। ସମସ୍ତ ଅଧ୍ୟାପକମାନଙ୍କୁ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ମିଳିବ।

ଏହି ଅବସରରେ ଜୟଦେବ ଭବନ ଠାରେ ଆୟୋଜିତ ଅନୁଷ୍ଠାନରେ ମୁଖ୍ୟମନ୍ତ୍ରୀ କହିଲେ, ପ୍ରଥମେ ମୁଁ ନବ ମନୋନୀତ ଅଧ୍ୟାପକମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କର କ୍ୟାରିଅର୍‌ର ଶୁଭକାମନା କରୁଛି।

ଅଧ୍ୟାପନା ବୃତ୍ତି ସମାଜରେ ସର୍ବୋଚ୍ଚ ସମ୍ମାନ ବହନ କରିଥାଏ। ଶିକ୍ଷକମାନେ ଆମ ସମାଜର ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରନ୍ତି। ସେମାନେ କଳ୍ପନା, ଜଟିଳ ଭାବନା ଏବଂ ସୃଜନଶୀଳତାକୁ ଉତ୍ସାହ ଦିଅନ୍ତି।

ସମର୍ପିତ ଏବଂ ପ୍ରତିବଦ୍ଧ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାର ସାମାଜିକ ଓ ଆର୍ଥିକ ମୂଲ୍ୟ ଅନୁଭବ କରିହୁଏ। ସେମାନେ ସେମାନଙ୍କର ଛାତ୍ରଛାତ୍ରୀମାନଙ୍କୁ ରୋଜଗାରକ୍ଷମ କରାଇବା ସହ ସମାଜକୁ ବୁଝି, ସମାଜରେ ବିକଶିତ ହୋଇ ତାହାକୁ ସମୃଦ୍ଧ କରାଇବାରେ ସେମାନଙ୍କୁ ଠିକଣା ଦୃଷ୍ଟିଭଙ୍ଗୀ ପ୍ରଦାନ କରନ୍ତି। ଥରେ ଗାନ୍ଧୀଜୀ କହିଥିଲେ, ଶିକ୍ଷା ବୋଇଲେ ମୁଁ ବୁଝେ ଶରୀର, ମନ ଓ ଆତ୍ମାରେ ଜଣେ ସର୍ବୋତ୍ତମ ପିଲା ଓ ମଣିଷର ସାମଗ୍ରିକ ଅଙ୍କନ। ତେଣୁ ଆମ ମଧ୍ୟରେ ସର୍ବୋତ୍ତମ ମାନବିକ ମୂଲ୍ୟକୁ ଆବିଷ୍କାର କରିବା ଓ ଅନୁଭବ କରିବାର ଆବଶ୍ୟକତା ରହିଛି, ଏବଂ ଏହାକୁ ଅନୁଭବ କରାଇବାରେ ସମାଜରେ ଶିକ୍ଷକମାନେ ସର୍ବୋତ୍ତମ ପଦବୀରେ ଅଛନ୍ତି।

ଶିକ୍ଷାର ମାନ ଉନ୍ନତ୍ତ କରାଇବାକୁ ମୋ ସରକାର ନିଷ୍ଠାପର ଉଦ୍ୟମ କରୁଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ତରୁଣ ଶିକ୍ଷାଦାତାଙ୍କ ପାଇଁ ଗବେଷଣା ପାଣ୍ଠି ଥିବା ‘ସେଣ୍ଟର୍‌ସ୍‌ ଫର୍‌ ଏକ୍ସେଲେନ୍‌ସ୍‌’ ସ୍ଥାପନା କରୁଛୁ। ଓଡ଼ିଶାର ସାମାଜିକ ଆର୍ଥିକ ବିକାଶ ପାଇଁ ପ୍ରାସଙ୍ଗିକତା ଥିବା ବିଷୟଗୁଡ଼ିକ ଉପରେ ଗବେଷଣାକୁ ବଳିଷ୍ଠ କରିବା ପାଇଁ ଧ୍ୟାନ ଦେଉଛୁ। ଅଭାବି ଛାତ୍ରଛାତ୍ରୀମାନେ ଆବଶ୍ୟକ କରୁଥିବା ବିଭିନ୍ନ ବୃତ୍ତି ବ୍ୟତୀତ ଆମେ କ୍ୟାରିୟର୍‌ କାଉନ୍‌ସେଲିଙ୍ଗ୍‌ ସେଲ୍‌, ସିଭିଲ୍‌ ସର୍ଭିସ୍‌ କୋଚିଙ୍ଗ୍‌ ମଧ୍ୟ ଖୋଲା ଯାଉଛି। ଓଡ଼ିଆ ଭାଷାର ସଂରକ୍ଷଣ ଓ ପ୍ରସାର ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲିବା କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ଉଦ୍ୟମ ଚଳାଇଛୁ।

ମୁଁ ଆନନ୍ଦିତ ଯେ ଉଚ୍ଚ ଶିକ୍ଷା ବିଭାଗ ଅନୁଦାନ ପ୍ରାପ୍ତ କଲେଜଗୁଡ଼ିକ ପାଇଁ ୮୩୩ ଜଣ ଅଧ୍ୟାପକ ମନୋନୟନ ପ୍ରକ୍ରିୟା ଶେଷ କରିଛନ୍ତି ଓ ୨୯୯ ଜଣ ଅଧ୍ୟାପକ ଆଜି ସେମାନଙ୍କର ନିଯୁକ୍ତି ପତ୍ର ଗ୍ରହଣ କରୁଛନ୍ତି। ମୁଁ ପୁଣି ଥରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।

ଏହି ଅନୁଷ୍ଠାନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଏବଂ ଉଚ୍ଚ ଶିକ୍ଷା ସଚିବ ଶ୍ରୀ ଶାଶ୍ୱତ ମିଶ୍ର ମଧ୍ୟ ଅଭିଭାଷଣ ଦେଇଥିଲେ। ମନୋନୀତ ଶିକ୍ଷକମାନଙ୍କ ମଧ୍ୟରୁ ଦୁଇ ଜଣ ସେମାନଙ୍କ ଭବିଷ୍ୟତର କ୍ୟାରିୟର୍‌ ସଂକ୍ରାନ୍ତରେ କହିଥିଲେ।

ସମ୍ବନ୍ଧିତ ଖବର