ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଜିଲ୍ଲା ଗସ୍ତରେ ବରିଷ୍ଠ ଅଧିକାରୀ ମଧ୍ୟ ସ୍କୁଲ-ଆହାର କେନ୍ଦ୍ରରେ ଖାଇବେ, ଅନାଥ-ଦିବ୍ୟାଙ୍ଗ ପିଲାଙ୍କ ସହ ମିଶି ସମସ୍ୟା ବୁଝିବେ

ଭୁବନେଶ୍ୱର: ଜିଲ୍ଲା ଗସ୍ତ ବେଳେ ବରିଷ୍ଠ ଅଧିକାରୀମାନେ ମଧ୍ୟ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ପରାମର୍ଶକୁ ଅନୁସରଣ କରିବେ। ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ଗସ୍ତ କରୁଥିବା ଅଧିକାରୀମାନେ ବାହାରେ ମଧ୍ୟାହ୍ନ ଭୋଜନ ନ କରି ଅନାଥାଶ୍ରମ, ଦିବ୍ୟାଙ୍ଗ ଏବଂ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନରେ ଭୋଜନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମନ୍ତ୍ରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି, ଯାହାକି ବରିଷ୍ଠ ଅଧିକାରୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ଗସ୍ତ କାଳରେ ଅଧିକାରୀମାନେ ଅନାଥ ଓ ଦିବ୍ୟାଙ୍ଗ ପିଲାଙ୍କ ସହ ମିଶି ସେମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବେ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରୁଥିବା ମନ୍ତ୍ରୀମାନଙ୍କୁ ବାହାରେ ମଧ୍ୟାହ୍ନ ଭୋଜନ ନ କରି ଅନାଥାଶ୍ରମ, ଭିନ୍ନକ୍ଷମ ଏବଂ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ସ୍କୁଲ ଓ ଆହାରକେନ୍ଦ୍ର ଅଚାନକ ଯାଞ୍ଚ କରିବା ସହିତ ସେଠାରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ଉପରୋକ୍ତ ଅନୁଷ୍ଠାନମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସହିତ ସେହି ଅନୁଷ୍ଠାନମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଖାଦ୍ୟର ଗୁଣବତ୍ତା ସହିତ ପ୍ରତ୍ୟକ୍ଷ ଭାବରେ ଜାଣିପାରିବେ। ଏହା ସେ ସବୁ ଅନୁଷ୍ଠାନମାନଙ୍କର ପରିଚାଳନରେ ଉନ୍ନତି ଆଣିବା ପାଇଁ ସୁଯୋଗ ସୃଷ୍ଟି କରିବ।

ଏହି ଭଳି ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବା ସହ ସାଥୀରେ ଯେପରି ୩-୪ ଜଣରୁ ଅଧିକ ଲୋକ ନ ଯାଆନ୍ତି, ସେଥିପ୍ରତି ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀମାନଙ୍କ ମାସିକ ଗସ୍ତ ରିପୋର୍ଟରେ ଏ ସଂକ୍ରାନ୍ତରେ ବିସ୍ତତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର