ଭୁବନେଶ୍ବର: ଇସ୍ପାତ ହେଉଛି ଓଡ଼ିଶାର ପ୍ରମୁଖ ଶିଳ୍ପ। ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରି ସମୃଦ୍ଧ ଓଡ଼ିଶା ଗଠନରେ ସହଯୋଗୀ ହୁଅନ୍ତୁ। ନିବେଶ କରିବା ପାଇଁ ବର୍ତ୍ତମାନର ସମୟ ସବୁଠୁ ଉପଯୁକ୍ତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୁମ୍ବାଇଠାରେ ଇଣ୍ଡିଆ ଷ୍ଟିଲ୍ ୨୦୨୫ ସମ୍ମିଳନୀର ଓଡ଼ିଶା ରାଉଣ୍ଡ୍ ଟେବୁଲ୍ ଅଧିବେଶନକୁ ସମ୍ବୋଧିତ କରି ଶିଳ୍ପପତିମାନଙ୍କୁ ଏହା କହିଛନ୍ତି।
କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଓ ‘ଫିକି’ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଶିଳ୍ପ ଜଗତର ଆବଶ୍ୟକତା ପୂରଣ ଲାଗି ସରକାର ଏକ ଉଚ୍ଚକ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି। କଞ୍ଚାମାଲଠାରୁ ଆରମ୍ଭ କରି ଜମି, ସଡ଼କ ଓ ରେଳପଥ ସଂଯୋଗ ତଥା ଜଳ ଓ ବିଦ୍ୟୁତ୍ ଯୋଗାଣ ପର୍ଯ୍ୟନ୍ତ ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ତ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ସରକାର ପୂରଣ କରିବେ। ଶିଳ୍ପସଂସ୍ଥାଗୁଡ଼ିକର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ଲାଗି ରହିଥିବା ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ। ଓଡ଼ିଶାର ଭିଜନ୍ ୨୦୩୬ ଉପରେ ଆଲୋଚନା କରି ସେ କହିଥିଲେ ଯେ ଇଞ୍ଜିନିୟରିଂ ସାମଗ୍ରୀ, ଖଣି ମେସିନ୍, ପରିବହନ ବ୍ୟବସ୍ଥା ଏବଂ ପ୍ରତିରକ୍ଷା ଓ ଏରୋସ୍ପେସ୍ ଉପରେ ଗୁରୁତ୍ବାରୋପ କରାଯିବ।
ରୁଷ ପ୍ରତିନିଧିଙ୍କ ସହ ଆଲୋଚନା
୨୦୨୬ ସୁଦ୍ଧା ୨୨ ଖଣି ନିଲାମ ହେବ
ଶିଳ୍ପ ଜଗତର ପ୍ରମୁଖ କଞ୍ଚାମାଲ ଯଥା ଲୁହାପଥର, କୋଇଲା ଓ ଚୂନପଥର ଆବଶ୍ୟକତା ପୂରଣ କରିବା ଲାଗି ୩୨୩ ନିୟୁତ ଟନ୍ ଖଣିଜ ପଦାର୍ଥ ଗଚ୍ଛିତ ଥିବା ୮ଟି ଖଣିକୁ ନିଲାମ କରାଯାଉଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଆଉ ୨୨ଟି ଖଣି ନିଲାମ କରିବାକୁ ସରକାର ଯୋଜନା ରଖିଥିବା ସେ କହିଥିଲେ। ରାଜ୍ୟରେ ବର୍ତ୍ତମାନ ୫୪ଟି ଇସ୍ପାତ କାରଖାନାରୁ ବାର୍ଷିକ ୪୧.୨୧ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହେଉଛି। ୨୦୩୦ ସୁଦ୍ଧା ସେହି କ୍ଷମତାକୁ ୧୩୦ ନିୟୁତ ଟନ୍ରେ ପହଞ୍ଚାଇବାକୁ ସରକାର ଯୋଜନା ରଖିଛନ୍ତି, ଯେଉଁଥିପାଇଁ ୧୯୦ ନିୟୁତ ଟନ୍ ଲୁହାପଥର ଆବଶ୍ୟକ। ଓଡ଼ିଶା ଖଣି ନିଗମ (ଓଏମ୍ସି) ୨୦୩୦ ସୁଦ୍ଧା ୭୫ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିବ ବୋଲି ସେ କହିଥିଲେ।
ଏହି ଅବସରରେ ସେ ରୁଷ ଫେଡେରେସନ୍ର ନିର୍ଦ୍ଦେଶକ ବବିଲେଭ୍ ପେଟର୍ ଓ ରୁଷ ଟ୍ରେଡ୍ କମିସନର ତୈଳ ଓ ଗ୍ୟାସ୍ ମୁଖ୍ୟ ଆର୍ଟେମ୍ ଓକୋଲୋଭଙ୍କ ସହ ସମ୍ଭାବ୍ୟ ସହଯୋଗିତା ଉପରେ ଆଲୋଚନା କରିଥିଲେ। ସେ ଭାରତୀୟ ରସାୟନ ପରିଷଦକୁ ଭେଟିବା ବେଳେ ଡାଓ କେମିକାଲ୍ସ, ଏପ୍ସିଲନ୍ କାର୍ବନ, କୋଠାରି ପେଟ୍ରୋକେମିକାଲ୍ସ, ଦୀପକ ଫର୍ଟିଲାଇଜର୍ ଆଦିର ପ୍ରତିନିଧିଙ୍କ ସହ ସେମାନଙ୍କ ନିବେଶ ଓ ସମ୍ପ୍ରସାରଣ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ଔଷଧ ନିର୍ମାତା ସଂଘ ସହ ଆଲୋଚନା ବେଳେ ସେ ଏସ୍କାନ୍ତ ଫାର୍ମାସ୍ୟୁଟିକାଲ୍ସର ସିଏମ୍ଡି ଭରତ ଶାହଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଓଏମ୍ସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଇସ୍ପାତ ଶିଳ୍ପର ୨୦୦ରୁ ଅଧିକ ପ୍ରତିନିଧି ଭାଗ ନେଇଥିଲେ।