ଶ୍ରୀମନ୍ଦିର ପାଇଁ ଜମିଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ସହ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ଅନାବରଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି ଓ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ । ତେବେ ଏକି ଶ୍ରୀମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ସହ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ଅନାବରଣ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଗଜପତି ମହାରାଜ, ବାଚସ୍ପତି ଓ ଆଇନ ମନ୍ତ୍ରୀ ଉପସ୍ଥିତ ଥିଲେ | ମହାପ୍ରଭୁଙ୍କ ପୁରୀ ସହିତ ଅବଶିଷ୍ଟ ବିଶ୍ବକୁ ଯୋଡିବା ତଥା ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ହ୍ରାସ କରି ଶ୍ରୀକ୍ଷେତ୍ରକୁ ସର୍ବଶ୍ରେଷ୍ଠ ଧାର୍ମିକ ତଥା ଐତିହ୍ୟ କ୍ଷେତ୍ରରେ ପରିଣତ କରିବା ଲାଗି ଗୁରୁତ୍ବପୂର୍ଣ୍ଣ ଏକ ଅଂଶ କ୍ରମେ ୩୩୧ କୋଟିର ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଆଜି ଶୁଭାରମ୍ଭ ହୋଇଛି ।

ବିଶ୍ବସ୍ତରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦୃତି ଓ ଆଦରରେ ଏହି ପ୍ରକଳ୍ପ ସହାୟକ ହେବ ଏବଂ ସଂସ୍କୃତି ପ୍ରେମୀ, ଐତିହାସିକ, ବିଭିନ୍ନ ଧର୍ମାବଲମ୍ବୀ, ପର୍ଯ୍ୟଟକଙ୍କୁ ଶ୍ରୀଜଗନ୍ନାଥ ମନସ୍କ କରିବ। ଏହି ପ୍ରକଳ୍ପରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷଣ ପଥ-ଚାରିପାଖରେ ଥିବା ମଠ ଓ ମନ୍ଦିରର ପୁନଃବିକାଶ ସହ ରଥଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷଣ ପଥ ରହିବ |

ସେବାୟତ ତଥା ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ସହ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବାକେନ୍ଦ୍ର ରହିବ | ଏକସଙ୍ଗେ ୬ ହଜାର ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ସହ ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ମଧ୍ୟ ରହିବ |

ସମ୍ବନ୍ଧିତ ଖବର