ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟିତ, କରୋନା ଲଢ଼େଇରେ ପ୍ରତିବଦ୍ଧତା ଲାଗି ଡାକ୍ତରଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେବଳ କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଓ କଟକ ସହରରେ ୬୫୦ ଶଯ୍ୟାବିଶିଷ୍ଟ ଦୁଇଟି ଓଡ଼ିଶା ସରକାରଙ୍କ ପରିଚାଳିତ କୋଭିଡ୍ ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ୍ ଜରିଆରେ ଆଜି ଉଦଘାଟନ କରିଛନ୍ତି ।

୫୦୦ ଶଯ୍ୟାବିଶିଷ୍ଟ ପ୍ରଥମ ହସପିଟାଲଟି ଭୁବନେଶ୍ୱରର “କିମସ୍’ରେ ପ୍ରସ୍ତୁତ କରାଯାଇଛି । ୧୫୦ ଶଯ୍ୟାବିଶିଷ୍ଟ ଦ୍ୱିତୀୟ ହସପିଟାଲଟି କଟକର “ଅଶ୍ୱିନୀ ହସପିଟାଲ’ରେ ପ୍ରସ୍ତୁତ ହୋଇଛି । ଉଭୟ ହସପିଟାଲ ଲାଗି ଅର୍ଥ ଯୋଗାଇଛି ଓଡିଶା ଖଣି ନିଗମ ।

ଏହି ଡାକ୍ତରଖାନା ନିମନ୍ତେ ସହଯୋଗ ଏବଂ ତ୍ୱରିତ ପ୍ରସ୍ତୁତି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ “କିମସ୍’ ଏବଂ “ଅଶ୍ୱିନୀ ହସପିଟାଲ’ର ପରିଚାଳନା କମିଟିକୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଡାକ୍ତର ଏବଂ ପାରାମେଡିକମାନଙ୍କ ସହ ବାର୍ତ୍ତାଳାପ କରିବା ସହ କରୋନାଭାଇରସ୍ ଲଢ଼େଇରେ ସେମାନଙ୍କ ପ୍ରତିବଦ୍ଧତା ଏବଂ ମହତ୍ ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ ।

Representative Image Source: India Today

ଏଠାରେ ପ୍ରକାଶଯୋଗ୍ୟ କି, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଉପରୋକ୍ତ ଦୁଇଟି ହସପିଟାଲ୍ ପ୍ରସ୍ତୁତ କରାଯାଇଛି ।

ଏହି ଡାକ୍ତରଖାନାରେ କୋଭିଡ୍-୧୯ ଆକ୍ରାନ୍ତ ରୋଗୀମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ବ୍ୟବସ୍ଥା ଥିଲେ ମଧ୍ୟ ସାମାଜିକ ଦୂରତ୍ୱ, ହସ୍ତ ପ୍ରକ୍ଷାଳନ ଏବଂ ଲକଡାଉନ୍ ମାର୍ଗଦର୍ଶିକା ପାଳନ କରି ଆମେ ଏ ଲଢ଼େଇ ଜିଣିପାରିବା ବୋଲି ମୁଖ୍ୟମନ୍ତ୍ରୀ ଗୁରତ୍ୱାରୋପ କରି କହିଛନ୍ତି ।

ଏହି ଡାକ୍ତରଖାନାରେ ସମସ୍ତ କୋଭିଡ୍-୧୯ ରୋଗୀମାନଙ୍କ ଚିକିତ୍ସା, ଖାଦ୍ୟ ଏବଂ ରହଣି ମାଗଣା ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର