ଭୁବନେଶ୍ବର :ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମେଡିକାଲ କଲେଜ ଉଦଘାଟନ ହେବା ସହ ପୁରୀବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି । ଉଭୟ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ପରିଶ୍ରମରୁ ଏହି ଅନୁଷ୍ଠାନ ପୁରୀବାସୀଙ୍କ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବ । ଗରିବ ବର୍ଗରେ କେତେକ ଛାତ୍ରଛାତ୍ରୀ ଏଠାରେ ନାମଲେଖାଇବାକୁ ସକ୍ଷମ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ୧୫ ପ୍ରତିଶତ ସଂରକ୍ଷଣ ନୀତି ଯୋଗୁଁ ସରକାରୀ ସ୍କୁଲର କେତେକ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ସକ୍ଷମ ହୋଇଛନ୍ତି । ଏହି ମେଡିକାଲ କଲେଜ ସ୍ଥାପନ କରିବାକୁ ସହାୟତା କରିଥିବାରୁ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ଦ୍ବାରା ଓଡ଼ିଶାରେ ସ୍ବାସ୍ଥ୍ୟସେବା ଆହୁରି ସୁଦୃଢ ହୋଇପାରିବ ବୋଲି ସେ କହିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜରେ ନୂଆ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ ।
ପ୍ରଥମ ବ୍ୟାଚରେ ମେଡିକାଲ କଲେଜର କ୍ଷମତା ମୁତାବକ ୭୦ ଛାତ୍ର ଓ ୩୦ ଛାତ୍ରୀଙ୍କୁ ମିଶାଇ ୧୦୦ ଜଣ ନାମ ଲେଖାଇଛନ୍ତି । ଶିକ୍ଷାଦାନ ଲାଗି ୧୫୦ ପ୍ରଫେସର, ରିଡର ଓ ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। କଲେଜରେ ୪୫୦ ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ୫ମହଲା ବିଶିଷ୍ଟ ଏକ ହଷ୍ଟେଲର ନିର୍ମାଣ ହୋଇଛି। କଲେଜର ନୂଆ କୋଠା ନିକଟରେ ୬୫୦ ଶଯ୍ୟା ବିଶିଷ୍ଟ ମେଲିକାଲ କଲେଜ ହସ୍ପିଟାଲ୍ ନିର୍ମାଣ କରାଯାଉଛି।
ପୂର୍ବରୁ ଏହି ମେଡିକାଲ କଲେଜର ଶ୍ରେୟ ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଥିଲା । ଏହି ମେଡିକାଲ କଲେଜର ଉଦଘାଟନ ପାଇଁ ସୌଜନ୍ୟମୂଳକଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡକାଯିବା କଥା ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସଂବିତ ପାତ୍ର ଟ୍ବିଟ କରି ଲେଖିଥିଲେ । ନିଜ ଟୁଇଟ ସହିତ ସେ ଏକ ପତ୍ର ସଂଲଗ୍ନ କରିଥିଲେ । କେନ୍ଦ୍ରୀୟ ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପର ଶିଳାନ୍ୟାସ ବା ଉଦଘାଟନ ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ରାଜ୍ୟ ସରକାର ଅବଗତ କରିବା ଉଚିତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଏହି ପତ୍ର ଲେଖିଥିଲେ ।
ଏହାର ଜବାବରେ ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରେୟ ରାଜନୀତିରେ ବିଶ୍ବାସ କରନ୍ତି ନାହିଁ । ସେ କେବଳ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦିଅନ୍ତି ।