୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ରହ୍ମପୁରରେ ରୋଡ ଓଭର ବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଦିଗପହଣ୍ଡି ଆରଏମସି (ନିୟନ୍ତ୍ରିତ ବଜାର କମିଟି)ରେ କପାମଣ୍ଡିର ଶିଳାନ୍ୟାସ

ଭୁବନେଶ୍ୱର/ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁରରେ ରେଲୱେ ଓଭର ବ୍ରିଜ (ଫ୍ଲାଏଓଭର ବ୍ରିଜ) ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦକ୍ଷିଣ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟିକ ହବ ଭାବରେ ବ୍ରହ୍ମପୁର ନାଁ କରିଛି । ରାଜ୍ୟ ସରକାର ବ୍ରହ୍ମପୁରର ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ବ୍ରହ୍ମପୁରକୁ ଏକ ଅତ୍ୟାଧୁନିକ ସହରରେ ପରିଣତ କରିବା ଲାଗି ଅନେକ ପଦକ୍ଷେପ ନିଆଯାଇଛି । ୨୭ କୋଟି ଟଙ୍କାରେ ନିର୍ମିତ ନୂତନ ବ୍ରିଜ ଯୋଗାଯୋଗ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କର ବହୁ ଅସୁବିଧା ପୂରଣ କରିବ ।

ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଗଂଜାମ ଜିଲ୍ଲାର ଦିଗପହଣ୍ଡି ଠାରେ ନିୟନ୍ତ୍ରିତ ବଜାର କମିଟିରେ ଏକ କପାମଣ୍ଡି ପାଇଁ ଶିଳାନ୍ୟାସ କରିଛନ୍ତି । ଏହି କପାମଣ୍ଡି ଚାଷୀଙ୍କୁ ସାହାଯ୍ୟ କରିବା ବ୍ୟତୀତ ୧୦୦ କୁଶଳୀ ଏବଂ କୁଶଳୀ ଶ୍ରମିକଙ୍କୁ ଚାକିରି ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡ-୧୯ ସଂକଟ ସମୟରେ ଗଂଜାମବାସୀଙ୍କ ସହଯୋଗ ପ୍ରଶଂସନୀୟ । ଡାକ୍ତର, ପାରାମେଡିକ୍ସ ଏବଂ ଏହି ମିଶନରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଗଂଜାମରେ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି । କିନ୍ତୁ ବିପଦ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ତେଣୁ ଲୋକଙ୍କୁ ନିବେଦନ କରୁଛି ଯେ, ଯୁଦ୍ଧ ଶେଷ ନହେବା ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏବଂ କୋଭିଡ ଗାଇଡଲାଇନକୁ ଅନୁସରଣ କରନ୍ତୁ ।

ସୂଚନାଯୋଗ୍ୟ, ଲାଞ୍ଜିପଲ୍ଲୀ ଠାରୁ ଇଂଜିନିୟରିଂ ସ୍କୁଲ ପର୍ଯ୍ୟନ୍ତ ରୋଡ ଓଭର ବ୍ରିଜ ୨୦୧୫ରେ ଆରମ୍ଭ ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ଏହି ବ୍ରିଜ ନିର୍ମାଣ ହେବା ଦ୍ୱାରା ୪୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ।

ତେବେ ରୋଡ ଓଭର ବ୍ରିଜ ଉଦଘାଟନ ପୂର୍ବରୁ ଆଜି ଭାରତୀୟ ଜନତା ପାର୍ଟିର କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ବିଜେପି ନେତାମାନେ ଅଭିଯୋଗ ଆଣିଥିଲେ ଯେ, ନିର୍ମାଣ କାମ ଶେଷ ହୋଇ ନଥିବା ବେଳେ ତରବରିଆ ଭାବେ ଏହାକୁ ଉଦଘାଟନ କରାଯାଇଛି । ପୁଲିସ ପ୍ରାୟ ୨୫ ଜଣ ବିଜେପି କର୍ମୀଙ୍କୁ ଅଟକ ରଖି ପରେ ଛାଡ଼ି ଦେଇଥିଲା ।

ସମ୍ବନ୍ଧିତ ଖବର