ସହିଦ ନଗରରେ ଖୋଲିଲା ସ୍ମାର୍ଟ ସିଟିର ଅପରେସନ ସେଣ୍ଟର

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସସିଏଲ୍‌)ର ସ୍ମାର୍ଟ ଅପରସନ ସେଣ୍ଟର ସହିଦ ନଗର ଭବାନୀ ମଲଠାରେ ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବିଏମସି ଭବାନୀ ମଲର ୫ମ ମହଲାରେ ଭୁବନେଶ୍ୱର ଅପରେସନ୍ସ ସେଣ୍ଟର ତଥା ଏକୀକୃତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଏବଂ ନୂଆ ସ୍ମାର୍ଟ ସିଟି ଅଫିସକୁ ଉଦଘାଟନ କରିଛନ୍ତି । ଏହି ସେଣ୍ଟରରେ ରାଜ୍ୟର ସର୍ବପ୍ରଥମ ଏକୀକୃତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଜରିଆରେ ସହରରେ ଏବେ ଉପଲବ୍ଧ ହେଉଥିବା ସମସ୍ତ ସେବାର ପରିଚାଳନା, ତଦାରଖ ଏବଂ ନିୟନ୍ତ୍ରଣ କରାଯିବ। ସହରର ଅନେକ ବ୍ୟବସ୍ଥା ଯଥା ପାର୍କିଙ୍ଗ, ପବ୍ଳିକ୍‌ ଟ୍ରାନ୍ସପୋର୍ଟ, କମନ୍‌ ପେମେଣ୍ଟ କାର୍ଡ଼ ସମେତ ଜରୁରୀକାଳୀନ ପରିସ୍ଥିତିରେ ଉପଯୁକ୍ତ ପରିଚଳନା ଦିଗରେ ଏହା ଏକ ଡିଜିଟାଲ୍‌ ବ୍ୟବସ୍ଥା ପ୍ରଦାନ କରିବ ।ଏହା ଜରିଆରେ ଆଡ଼ାପ୍ଟିଭ୍‌ ଟ୍ରାଫିକ୍‌ ସିଗ୍‌ନାଲ୍‌ ନିୟନ୍ତ୍ରଣ ବ୍ୟବସ୍ଥା, ବସ୍‌ସେବା ଏବଂ ମହାନଗର ନିଗମର ଗାଡ଼ିଗୁଡ଼ିକର ଟ୍ରାକିଙ୍ଗ୍‌ ସମେତ ଅଭିଯୋଗ ସମାଧାନ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି । ‘ଏହି ଅଭିନବ କେନ୍ଦ୍ରରେ ୮୦ ଫୁଟ ଚଉଡ଼ାର ଏକ ବିଶାଳ ଭିଡ଼ିଓ ସ୍କ୍ରିନ୍‌ ରହିଛି ଯାହାକୁ ବ୍ୟବହାର କରି ବହୁସଂଖ୍ୟକ ସିସିଟିଭି ଭିଡ଼ିଓ ତଥା ଅତ୍ୟାଧୁନିକ ସେନ୍ସର ତଥ୍ୟଉପରେ ନଜର ରଖାଯାଇପାରିବ ।

ଏଥିସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶହୀଦନଗରରେ ତିଆରି ହୋଇଥିବା ସ୍ମାର୍ଟ ପାର୍କ ସମୂହ ଏବଂ ଏଜି ଛକରେ ନଗରବ୍ୟାପୀ ସୌରଚାଳିତ ଆଡ଼ାପ୍ଟିଭ୍‌ ଟ୍ରାଫିକ୍‌ ସିଗ୍‌ନାଲ୍‌ ନିୟନ୍ତ୍ରଣ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି । ଏହି ତିନିଟି ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ସେ ଶହୀଦ ନଗରରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସ୍ୱତନ୍ତ୍ର ସେନ୍‌ସୋରୀ ପାର୍କ ଓ ବାପୁଜୀନଗରରେ ହେବାକୁଥିବା ସମନ୍ଵିତ ଜନସେବା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ଅନ୍ୟ ଅତିଥିଗଣଙ୍କ ମଧ୍ୟରେ ମାନ୍ୟବର ଜଳସମ୍ପଦ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ନିରଞ୍ଚନ ପୂଜାରୀ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଡଃ ପ୍ରଶନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର (ମଧ୍ୟ) ବିଧାୟକ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର ( ଉତ୍ତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ୱର ମହାନଗର ନିଗମର ସ୍ଥାନୀୟ କର୍ପୋରେଟରଗଣ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର