ଗୋପାଳପୁରରେ ଟାଟାର ଚା’ ପ୍ୟାକେଜିଂ ପ୍ଲାଣ୍ଟ ଉଦଘାଟିତ, ୯୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କଠାରେ ଟାଟା ଟିର ମେଗା ଚା ପ୍ୟାକେଜିଂ ୟୁନିଟର ଉଦଘାଟନ କରିଛନ୍ତି । ପ୍ରାୟ ୧୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ୟୁନିଟକୁ ସମଗ୍ର କେନ୍ଦ୍ରୀୟ ଓ ଦକ୍ଷିଣ ଭାରତର ସର୍ବବୃହତ ଚା’ ପ୍ୟାକେଜିଂ ୟୁନିଟ୍ ଓ ସପ୍ଲାଏ ଚେନ ବୋଲି କମ୍ପାନି କହିଛି । ପରବର୍ତ୍ତୀ କାଳରେ ଏହାକୁ ଦେଶର ବୃହତ୍ତମ ଚା ପ୍ୟାକେଜିଂ ପ୍ଲାଣ୍ଟରେ ପରିଣତ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପରେ ପ୍ରାୟ ୯୦୦ ଲୋକଙ୍କି ନିଯୁକ୍ତି ସୁଯୋଗ ମିଳିବ । ଏହି ପ୍ଲାଣ୍ଟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲେଙ୍ଗାନା ଓ କେନ୍ଦ୍ରୀୟ ଭାରତର ଚାହିଦା ପୂରଣ କରିବ । ବର୍ତ୍ତମାନ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୧୫ ନିୟୁତ କିଲୋଗ୍ରାମ ଥିବାବେଳେ ଏହାକୁ ୫୦ ନିୟୁତ କିଲୋଗ୍ରାମକୁ ବୃଦ୍ଧି କରାଯିବ ।

ଏହି ପ୍ଲାଣ୍ଟକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ଶିଳ୍ପ ବିକାଶ ଦିଗରେ ଟାଟାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । କରୋନା ମହାମାରୀ ସମୟରେ ମେଡିକାଲ ଅକ୍ସିଜେନ ଯୋଗାଇଥିବାରୁ ସେ ଟାଟା ଗ୍ରୁପକୁ ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ, ଟାଟା ଷ୍ଟିଲ ଏମଡି ଟି.ଭି.ନରେନ୍ଦ୍ରନ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର