୨୩ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ୩ଟି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୋଟ ୫୫୬୭ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ, ୯୧୬୮ଟି କର୍ମନିଯୁକ୍ତି ସୃଷ୍ଟି ହେବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାରଦିନ ମୋଟ ୫୫୬୭.୫ କୋଟି ଟଙ୍କା ମୂଲ୍ୟର ୨୬ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଗୁଡ଼ିକ ମଧ୍ୟରୁ ୩ଟି ପ୍ରକଳ୍ପ ଉଦଘାଟନ ହୋଇଥିବା ବେଳେ ୧୩ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ଏହି ୩ଟି ପ୍ରକଳ୍ପରେ ମୋଟ ୭୦୯ କୋଟି ଟଙ୍କା ନିବେଶ ହୋଇଥିବା ବେଳେ ଶିଳାନ୍ୟାସ ହୋଇଥିବା ୨୩ଟି ପ୍ରକଳ୍ପରେ ୪୮୫୮ କୋଟି ଟଙ୍କା ନିବେଶ ପ୍ରସ୍ତାବ ରହିଛି । ଏହି ୨୬ଟି ପ୍ରକଳ୍ପରେ ମୋଟ ୯୧୬୮ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଦେଶର ଏକ ପ୍ରମୁଖ ଶିଳ୍ପକେନ୍ଦ୍ରରେ ପରିଣତ ହୋଇଛି ।  ନୂଆ ଶିଳ୍ପଗୁଡ଼ିକ ରାଜ୍ୟରେ ଶିଳ୍ପ ବିପ୍ଲବକୁ ତ୍ୱରାନ୍ଵିତ କରିବ । ଏସବୁ ଶିଳ୍ପସଂସ୍ଥାମାନଙ୍କୁ ସରକାର ସବୁପ୍ରକାରର ସୁବିଧା ଯୋଗାଇଦେବେ । ଉଦଘାଟିତ ହୋଇଥିବା ୩ଟି ପ୍ରକଳ୍ପ ହେଲେ ଆଦିତ୍ୟ ବିର୍ଲା ରିନେଓ୍ଵଲର ସୌର ଶକ୍ତି ପ୍ରକଳ୍ପ, ଜିନ୍ଦଲ ଷ୍ଟେନଲେସର କୋଲଡ ରୋଲିଂ ମିଲ ଓ ଏକେଏମ ଆଗ୍ରୋର ଖାଇବା ତେଲ ଉତ୍ପାଦନ କାରଖାନା ।

ଅନ୍ୟପକ୍ଷରେ ଶିଳାନ୍ୟାସ ହୋଇଥିବା ୨୩ଟି ପ୍ରକଳ୍ପ ମୁଖ୍ୟତଃ ଶକ୍ତି, ନବୀକରଣଯୋଗ୍ୟ ଶକ୍ତି, ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ସାର, ପେଟ୍ରୋଲିୟମ ରିଫାଇନାରି, କେମିକାଲ ଓ ପ୍ଲାଷ୍ଟିକ, ଫାର୍ମାସୁଟିକାଲ୍ସ ଓ ଟେକ୍ସଟାଇଲ୍ସ କ୍ଷେତ୍ରରୁ ଆସିଛି । ଏହି ଅବସରରେ ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ୫-ଟି ସଚିବ ଭି.କେ.ପାଣ୍ଡିଆନ୍  ଓ ୨୬ଟି କମ୍ପାନିର ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର