ସବୁ ଜିଲ୍ଲା ହସ୍ପିଟାଲ୍‌ରେ ଯନ୍ତ୍ରଣା ଉପଶମ ସେବା

ତାଲିମପ୍ରାପ୍ତ ମାନବ ସମ୍ବଳ ନିୟୋଜିତ ହେବେ
‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଅଭିଯାନ ବାସ୍ତବ ରୂପ ନେବ : ମୁଖ୍ୟମନ୍ତ୍ରୀ
ଖୁବ୍ ଶୀଘ୍ର ନବରଙ୍ଗପୁରରେ ଘରେ ଉପଲବ୍ଧ ହେବ ସେବା

ଭୁବନେଶ୍ବର : ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲ୍‌ ସମେତ କ୍ୟାପିଟାଲ୍‌ ହସ୍ପିଟାଲ ଓ ରାଉରକେଲା ଜେନେରାଲ୍‌ ହସ୍ପିଟାଲ୍‌ରେ ଯନ୍ତ୍ରଣା ଉପଶମ ସେବା କେନ୍ଦ୍ର ଖୋଲାଯିବ। ଏଠାରେ ଯନ୍ତ୍ରଣାଦାୟକ ରୋଗରେ ପୀଡ଼ିତ ରୋଗୀମାନଙ୍କ ସ୍ବତନ୍ତ୍ର ଭାବେ ଯତ୍ନ ନିଆଯିବ। ହସ୍ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିବା ରୋଗୀ ଓ ବାହାରର ରୋଗୀ ଉଭୟଙ୍କୁ ଏଠାରେ ‌େସବା ମିଳିବ। ବିଶେଷଜ୍ଞମାନଙ୍କ ମାଗଣାରେ ପରାମର୍ଶ, ରୋଗୀଙ୍କ ଯତ୍ନ ‌ନେଉଥିବା ଲୋକଙ୍କୁ ତାଲିମ, ମାଗଣା ଔଷଧ, ମାଗଣା ଫିଜିଓଥେରାପି, ଆଧ୍ୟାତ୍ମିକ ଉପଶମ, ଜରୁରୀକାଳୀନ ସେବା ଆଦି ଉପଲବ୍ଧ ହେବ।

ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜିଲ୍ଲା ଯନ୍ତ୍ରଣା ଉପଶମ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଥିଲେ। ଏ ନେଇ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୩୨ଟି ଯାକ ହସ୍ପିଟାଲ୍‌ରେ ୬ ଶଯ୍ୟା ବିଶିଷ୍ଟ ଯନ୍ତ୍ରଣା ଉପଶମ ସେବା କେନ୍ଦ୍ର ପ୍ରତିଷ୍ଠା ହେବ। ଏହା ମଧ୍ୟରୁ ୧୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦.୨୫ ଲକ୍ଷ ଟଙ୍କା ଲେଖାଏ ଭିତ୍ତିଭୂମି ବିକାଶ ବାବଦକୁ ପ୍ରଦାନ କରାଯାଇସାରିଛି। ୩୯ ଜଣ ମେଡିକାଲ ଅଫିସର୍ ଓ ୪୨ ଜଣ ଷ୍ଟାଫ୍‌ ନର୍ସଙ୍କୁ ଯନ୍ତ୍ରଣା ଉପଶମ ସେବା ନିମନ୍ତେ ତାଲିମ୍ ଦିଆସରିଛି। ସେମାନେ ଏହି କେନ୍ଦ୍ରଗୁଡ଼ିକରେ ରହି ରୋଗୀଙ୍କୁ ସେବା ଯୋଗାଇ ଦେବେ। ମେଡିକାଲ୍‌ ଅଫିସର୍, ଷ୍ଟାଫ ନର୍ସ ଓ କାଉନ୍‌ସେଲର୍‌ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିତ ବ୍ୟବଧାନରେ ସେମାନଙ୍କୁ ତାଲିମ୍ ପ୍ରଦାନ କରାଯିବ।

ଏହି ଅବସରରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ଓ ସିଡିଏମ୍‌ଓମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ସେ କହିଥିଲେ, ଏହି ରୋଗୀ ଯତ୍ନ କାର୍ଯ୍ୟକ୍ରମ ଆମ ସରକାରଙ୍କ ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଅଭିଯାନକୁ ବାସ୍ତବ ରୂପ ଦେଇପାରିବ। ଆଗାମୀ ଦୁଇ ମାସ ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ରୋଗୀଙ୍କ ଘରେ ସେମାନଙ୍କୁ ଯନ୍ତ୍ରଣା ଉପଶମ ସେବା ଉପଲବ୍ଧ କରାଇବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପରେ ସବୁ ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବ। ଏହା ସହ ପୁରାତନ କିଡ୍‌ନି ରୋଗ, ହୃଦ୍‌ଘାତ, ଏଡ୍‌ସ୍‌, ପାରାଲିସିସ୍‌ ଆଦି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ମଧ୍ୟ ଏପରି ସେବା ମିଳିବ।

ସୂଚନାଯୋଗ୍ୟ ଯେ ୨୦୧୭ ମେ’ ମାସରେ ମୁଖ୍ୟମନ୍ତ୍ରୀ କର୍କଟ ରୋଗୀଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଅଧିକ କର୍କଟ ରୋଗୀଙ୍କୁ ପରାମର୍ଶ ଦିଆଯାଇଛି ଓ ୧୪ ହଜାର ରୋଗୀଙ୍କୁ ଜିଲ୍ଲା ଡେ କେୟାର କ୍ୟାନ୍‌ସର୍‌ କେମୋଥେରାପି କେନ୍ଦ୍ରରେ କେମୋଥେରାପି ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ରାଜ୍ୟ ସରକାର ୮୬ ହଜାର କର୍କଟ ନିରୋଧୀ ଔଷଧ ମାଗଣାରେ ଯୋଗାଇ ଦେଉଛନ୍ତି ଓ କର୍କଟ ରୋଗୀଙ୍କ ପାଇଁ ସମସ୍ତ ପରୀକ୍ଷା ମାଗଣାରେ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯନ୍ତ୍ରଣା ଉପଶମ ସେବା କାର୍ଯ୍ୟକ୍ରମର ଲୋ‌େଗା ଉନ୍ମୋଚନ କରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି କାର୍ଯ୍ୟକ୍ରମର ଗାଇଡ୍‌ଲାଇନ୍ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍କଟ ଯତ୍ନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଉପଦେଷ୍ଟା ଦୀନେଶ ପେଣ୍ଡାରକର ଓ ସ୍ବାସ୍ଥ୍ୟ ସଚିବ ପି କେ ମେହେର୍ଦ୍ଦା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର