ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଅନ୍ତେବାସୀଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶ୍ରମର ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ। ଏହାସହ ପିଲାମାନଙ୍କୁ ଭଲ ପାଠ ପଢ଼ି, କଠିନ ପରିଶ୍ରମ କରି ସଫଳତାର ସହିତ ବଡ଼ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶ୍ରମ ପରିସରରେ ଏକ ନିମ୍ବ ବୃକ୍ଷ ଚାରା ମଧ୍ୟ ରୋପଣ କରିଥିଲେ।
ସୂଚନାଯୋଗ୍ୟ ଯେ, ଆଜି ୧୨୪ ତମ ଅଧ୍ୟାୟରେ ଦେଶର ବିଭିନ୍ନ ପ୍ରାନ୍ତର ଜନସମୂହଙ୍କ ପ୍ରେରଣାଦାୟୀ ପଦକ୍ଷେପ ସହିତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଦ୍ବାରା ସାନ୍ତାଳୀ ଶାଢ଼ିର ପୁନରୁଦ୍ଧାର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ୬୫୦ ଜଣ ଆଦିବାସୀ ମହିଳା ଆଜି ଏହି ଶାଢ଼ି ବୁଣି ଭଲ ରୋଜଗାର କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ସେ କହିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ପ୍ରକୃତିର ସୁରକ୍ଷା ପାଇଁ ଆମ ଦାୟିତ୍ୱ ବିଷୟରେ କେନ୍ଦୁଝର ଜିଲ୍ଲାର ନାମ ନେଇଛନ୍ତି। କେନ୍ଦୁଝର ଜିଲ୍ଲାର ପ୍ରମିଳା ପ୍ରଧାନଙ୍କ ପ୍ରୟାସରେ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ କିଭଳି ପରିବେଶ ଓ ଜଙ୍ଗଲର ସୁରକ୍ଷା ସହିତ ଜଙ୍ଗଲ ନିଆଁ ରୋକିବା ପାଇଁ ସଚେତନ କରାଯାଉଛି ସେ ବିଷୟରେ ପ୍ରଶଂସା କରିଥିଲେ।