ନରସିଂହପୁର: ୯୨୧କୋଟି ପ୍ରକଳ୍ପର ଶିଳାନ୍ୟାସ

ଭାରତ ସରକାର ପିଏମ୍‌ କିଷାନ ଯୋଜନାରେ ଭୂମିହୀନ, ନାମମାତ୍ର ଚାଷୀଙ୍କୁ ସୁବିଧା ଦିଅନ୍ତୁ

କଟକ/ନରସିଂହପୁର : କଟକ ଜିଲ୍ଲାର ନରସିଂହପୁର ଗସ୍ତରେ ଆସି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନନ୍ତ ନାରାୟଣ ହାଇସ୍କୁଲ ପଡିଆରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥିସହ ୯୨୧ କୋଟି ଟଙ୍କାର ଜନକଲ୍ୟାଣକାରୀ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ରାଜ୍ୟର କାଳିଆ ଯୋଜନାକୁ ଏକ ଯୁଗାନ୍ତକାରୀ ଯୋଜନା ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଭାଗଚାଷୀ, ଭୂମିହୀନ ତଥା ଅନେକ ଚାଷୀ ସାମିଲ ହୋଇପାରିବେ ନାହିଁ। ତେଣୁ କାଳିଆ ଯୋଜନା ଭଳି ପ୍ରଧାନମନ୍ତ୍ରୀ କିଷାନ ଯୋଜନା‌କୁ ଭାରତ ସରକାର କାର୍ଯ୍ୟକାରୀ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବଡମ୍ବା-ନରସିଂହପୁର ନିର୍ବାଚନମଣ୍ଡଳୀର ବିକାଶ ପାଇଁ ମୁଁ ୯୨୧ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲି। ଏଥିରେ ଆପଣମାନେ ଖୁସି ତ’ ବୋଲି ନିଜର ଚିରାଚରିତ ଢଙ୍ଗରେ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ।

ଆଜି ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ନରସିଂହପୁରରେ ଅବତରଣ କରିଥିଲେ। ଏହାପରେ ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସମେତ କଟକ ସାଂସଦ ଭର୍ତ୍ତୃହରି ମହତାବ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ନରସିଂହପୁର ବ୍ଲକ୍‌ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ବଡମ୍ବା ବ୍ଲକ୍‌ ଅଧ୍ୟକ୍ଷା ଅନୁସୂୟା ନାୟକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ବଡମ୍ବା-ନରସିଂହପୁର ବିଦ୍ୟୁତ, ପାନୀୟ ଜଳ, ଜଳସେଚନ, ପର୍ଯ୍ୟଟନ, ରେଙ୍ଗାଲି କେନାଲ, ସ୍ୱୟଂ ସହାୟିକା ଗୋଷ୍ଠୀକୁ ସହୟତା ରାଶି, ଅଙ୍ଗନବାଡି ଗୃହ ନିର୍ମାଣ ସହିତ ୯୨୧କୋଟି ଟଙ୍କାର ୩୦ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ରିମୋଟ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ଆଗାମୀ ଦିନରେ ତୁରନ୍ତ ପ୍ରକଳ୍ପର କାମ ସରିବା ସହ ସେଗୁଡିକର ଲୋକାର୍ପଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡିଶା ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି। ଗାଁ ଭିତରର ୫ଶହ କି.ମି. ପକ୍କା ରାସ୍ତା, ଏକଡାଳ-ସିଧାମୂଳା ସେତୁ, ୧୨୦ କୋଟି ବ୍ୟୟରେ ଗୋପିନାଥପୁର ସେତୁ, ନରସିଂହପୁର-ଅନୁଗୁଳୁ ମୁଖ୍ୟରାସ୍ତା ନିର୍ମାଣ ହୋଇଛି । ପର୍ଯ୍ୟଟନ ବିକାଶ ଲାଗି ମା ପ୍ରଗଳା, ମହାକାଳୀ, ଭଟ୍ଟାରିକା, ମହାନଦୀ ପର୍ଯ୍ୟଟନ, ସିଂହନାଥ ପୀଠ, ବାଣେଶ୍ୱର ପୀଠର ବିକାଶ ଲାଗି ବହୁ ଅର୍ଥ ବ୍ୟୟ ହୋଇଛି। କିଡନି ରୋଗ ଚିକିତ୍ସା ପାଇଁ ୨୧୭ କୋଟି ଟଙ୍କା ବ୍ୟୟରେ ବଡମ୍ବାର ୩୪୦ଟି ପଡା ଗାଁ, ନରସିଂହପୁର ବ୍ଲକର ୪୦୬ଟି ଗାଁରେ ଲୋକେ ପାନୀୟ ଜଳ ପାଇପାରିବେ। ରେଙ୍ଗାଲି ଡାହାଣ ପାର୍ଶ୍ବର୍ କେନାଲ ଦ୍ୱାରା ୧୮୫ କୋଟି ଟଙ୍କା ବ୍ୟୟ କରାଯାଇ ୫୪ଟି ଗାଁର ଉପକୃତ ହୋଇପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ କର୍ମୀମାନେ ଫୁଲହାର ଦେଇ ସମ୍ବର୍ଦ୍ଧିତ କରିବା ସହ ଅଂଚଳର ବିକାଶ ପାଇଁ ସହଯୋଗ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ମହିଳା ‌ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ୫ ହଜାର ଟଙ୍କା ସହ ମୋବାଇଲ ପାଇଁ ୩ ହଜାର ଟଙ୍କା, ନିର୍ମାଣ ଶ୍ରମିକ ଯୋଜନାରେ ସାଇକେଲ ଆଦି ପ୍ରଦାନ କରିଥିଲେ। ପିଡି ସରୋଜକାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ ଉଦ୍ୟମ କରୁଥିବା କଂଗ୍ରେସର ୮ ଜଣ କର୍ମୀ ଓ ବିଜେପିର ୨୫୦ରୁ ଅଧିକ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତ୍ରିପୁରା ଦେହୁରୀ, ସରୋଜ କୁମାର ରଣା, ବିଜୟ କୁମାର ଦଳବେହେରା, ଜିଲ୍ଲାପରିଷଦ ସଦସ୍ୟ ଚିତ୍ତ ରଂଜନ ମିଶ୍ର, ବିଜୟ ଦଳବେହେରା, ବିଜେପି ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ପଣ୍ଡା, ଅନାମ ଚରଣ ସାମଲ, ସରୋଜ କୁମାର ବାରିକ, ବିଜୟ ସୁବୁଦ୍ଧି, ନିଳାମ୍ବର ବାରିକ, ମନୋଜ କୁମାର ପଣ୍ଡା, ସୁବାସ ସାମଲଙ୍କ ସମେତ ଶତାଧିକ କର୍ମୀଙ୍କୁ ପୁଲିସ ବିଭିନ୍ନ ଥାନାରେ ଅଟକ ରଖିଥିଲେ। ସେହିପରି ବ୍ଲକ କଂଗ୍ରେସ ସଭାପତି ଶିଶିର କାନ୍ତ ମିଶ୍ର, ମନୋରଞ୍ଜନ ନାୟକ ସମେତ ଅନେକ କର୍ମୀ ଓ ନେତାଙ୍କୁ ଆଜି ପୁଲିସ ଅଟକ ରଖିଥିଲା।

ସମ୍ବନ୍ଧିତ ଖବର