ଭୁବନେଶ୍ବର:ପୀଡ଼ିତାଙ୍କ ସହ କଥା ହୋଇ ତାହାକୁ ଭାଇରାଲ କରିଛନ୍ତି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ। ଜଣେ ମୁଖ୍ୟମନ୍ତ୍ରୀ ହୋଇ ଏଭଳି କରିବା‌ ଆଇନର ଉଲ୍ଲଂଘନ।  ସୁପ୍ରିମ କୋର୍ଟଙ୍କ ରାୟକୁ ମୁଖ୍ୟମନ୍ତ୍ରୀ ଅବମାନନା କରିଛନ୍ତି। "ଭଲ ଲାଗିଲାଣି ନା ?" ଏହା କଣ ଜଣେ ପୀଡିତାଙ୍କୁ ପଚାରିବା ଭଳି ପ୍ରଶ୍ନ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ବିଜୁ ମହିଳା ଜନତା ଦଳ । ବିଜୁ ମହିଳା ଜନତା ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ,ଟୁକୁନି ସାହୁ, ଲେଖାଶ୍ରୀ ସାମନ୍ତସିଂହାର ଏବଂ ସୁମିତ୍ରା ଜେନା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି।

Advertisment

ଦୀର୍ଘ ୧୫ ମାସ ମଧ୍ୟରେ ମହିଳା ରାଜ୍ୟରେ ଅସୁରକ୍ଷିତ । ଓଡ଼ିଆ ଝିଅଙ୍କର କୌଣସି ସମ୍ମାନ ନାହିଁ କି ? ଦୁର୍ଗାପୁରରେ ଗଣଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତାଙ୍କ ସହ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା ହେଉଛନ୍ତି ଆଉ ତାହାକୁ ସାର୍ବଜନୀନ କରୁଛନ୍ତି। ସେ ସର୍ବୋଚ୍ଚ ନ୍ୟାୟାଳୟର ଗାଇଡଲାଇନ ଭଙ୍ଗ କରିଛନ୍ତି। ଏହା କଣ ପୀଡ଼ିତାଙ୍କ ପାଇଁ ଅସମ୍ମାନ ନୁହେଁ। ଯଦି ପଶ୍ଚିମବଙ୍ଗ ଘଟଣାରେ ଫୋନ୍ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରିଥିଲେ ତାହା କଣ ସାର୍ବଜନୀନ କରିବା ଆବଶ୍ୟକ ଥିଲା।

ପ୍ରତି ଝିଅର ମାନ ଇଜତ ରହିଛି। ମନମୋହନ ସାମଲ ତାଙ୍କୁ ପଶ୍ଚିମବଙ୍ଗକୁ ଯାଇ ଦେଖା କରିଛନ୍ତି ଆଉ ଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ କଥା ହୋଇ ତାଙ୍କ ବ୍ୟକ୍ତିଗତ କଥାକୁ ସାର୍ବଜନୀନ ଭାବେ ପ୍ରଘଟ କରିଛନ୍ତି। ଏହା ଆଇନ ବିରୋଧୀ ।

ଅନ୍ୟପଟେ ରାଜ୍ୟର ୩୭ ହଜାର ୬୧୧ ଘଟଣା ମହିଳାଙ୍କ ବିରୁଦ୍ଧରେ ହେଲାଣି, ଏହାକୁ ନେଇ ଚୁପ୍ କାହିଁକି ମୁଖ୍ୟମନ୍ତ୍ରୀ ? ପୀଡ଼ିତା ସବୁଠି ପୀଡ଼ିତା । ରାଜ୍ୟ ରାଜ୍ୟ ମଧ୍ୟରେ ପାତରଅନ୍ତର କରି ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ। ନିଜ ଆଗଣାର ଘଟଣା ଯାଇପାରି ନାହାନ୍ତି ହେଲେ ପଶ୍ଚିମବଙ୍ଗ ଯାଇ ସେଠାରେ ଉପଦେଶ ଦେଇଛନ୍ତି ଏବଂ ହିନ ରାଜନୀତି କରୁଛନ୍ତି ବିଜେପି ସରକାର। 

ଏ ରେପ୍ ଟୁରୁଜିମ ଚଳିବ ନାହିଁ ବୋଲି ବିଜୁ ମହିଳା ଜନତା ଦଳ କହିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡୁଛି । ମହିଳାଙ୍କ ଉତ୍ପୀଡନକୁ ନେଇ ରାଜନୀତି ବନ୍ଦ କରନ୍ତୁ । ପଶ୍ଚିମବଙ୍ଗକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଯାଇ ନିଜର ମାର୍କେଟିଂ କରିଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜୁ ମହିଳା ଜନତା ଦଳ ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ଗତ ୧୫ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଭଳି ଘଟଣା ପ୍ରତିଦିନ ଖବରକାଗଜର ଶିରୋନାମା ମଣ୍ଡନ କରୁଛି । ରାଜ୍ୟରେ ପ୍ରତିଦିନ ଅନେକ ମହିଳା ଏହିପରି ଦୁଷ୍କର୍ମ, ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ପଶ୍ଚିମବଙ୍ଗରେ ଘଟିଥିବା ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ ଓ ନିନ୍ଦନୀୟ । କିନ୍ତୁ, ଏଭଳି ଏକ ସମ୍ୱେଦନଶୀଳ ଘଟଣାରେ, ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୀଡିତାଙ୍କ ସହିତ ବାର୍ତ୍ତାଳାପର ରେକର୍ଡିଂକୁ ଭାଇରାଲ କଲେ ତାହା ଆହୁରି ଅଧିକ ନିନ୍ଦନୀୟ ।

ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା  ସୁମିତ୍ରା ଜେନା କହିଥିଲେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ ଅନୁଯାୟୀ, ପୀଡିତାଙ୍କ ପରିଚୟ ଓ ତାଙ୍କ ସହିତ କୌଣସି ବାର୍ତ୍ତାଳାପ ଜନସାଧାରଣଙ୍କ ନିକଟରେ ପ୍ରକାଶିତ ହେବା ଉଚିତ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ଏହାକୁ ଗଣମାଧ୍ୟମରେ ବିତରଣ କରିବା ଦ୍ୱାରା ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶାବଳୀକୁ ଉଲ୍ଲଙ୍ଘନ କରିଛନ୍ତି ।

 
ଦଳର ସାଧାରଣ ସମ୍ପାଦିକା ତଥା ରାଜ୍ୟସଭା ସାଂସଦ  ସୁଲତା ଦେଓ କହିଥିଲେ, ଗତ ୧୫ ମାସରେ ଧାରାବାହିକ ଭାବେ ରାଜ୍ୟରେ ଘଟିଥିବା ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ଗୁଡିକରେ ମୁଖ୍ୟମନ୍ତ୍ରୀ  ମୋହନ ମାଝୀଙ୍କ ତତ୍ପରତା ଦେଖିବାକୁ ମିଳିନାହିଁ । ପଶ୍ଚିମବଙ୍ଗ ଘଟଣାରେ ହଠାତ୍ ତତ୍ପର ହୋଇଉଠିବା କେବଳ ରାଜନୈତିକ ଉଦେ୍ଦଶ୍ୟ ସାଧନ ପାଇଁ ଉର୍ଦ୍ଦିଷ୍ଟ । ପଶ୍ଚିମବଙ୍ଗ ଘଟଣାରେ ଉଭୟ ରାଜ୍ୟ ମହିଳା କମିସନ ଓ ଜାତୀୟ ମହିଳା କମିସନ ପୀଡ଼ିତାଙ୍କୁ ଭେଟିଛନ୍ତି । କିନ୍ତୁ, ଓଡ଼ିଶାରେ ଘଟିଥିବା କୌଣସି ଘଟଣାରେ ଏମାନଙ୍କୁ ପୀଡ଼ିତାଙ୍କ ନିକଟରେ ଦେଖିବାକୁ ମିଳିନାହିଁ । ଦୁଃଖ ଓ ପରିତାପର ବିଷୟ ଯେ, ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ, ବିଜେପି ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି ।

ବିଜେପି ବିଧାୟକ  ସନ୍ତୋଷ ଖଟୁଆ ବିଜେଡି ନେତ୍ରୀଙ୍କ ଉଦେ୍ଦଶ୍ୟରେ ଅଶାଳୀନ ଟିପ୍ପଣୀ ଦେଇଥିବା ବେଳେ ଏହି ମାମଲା ରାଜ୍ୟ ମହିଳା କମିସନ ଓ ଜାତୀୟ ମହିଳା କମିସନଙ୍କ ପାଖରେ ଅଭିଯୋଗ କରାଯାଇଥିଲା । କିନ୍ତୁ, ଉଭୟ ରାଜ୍ୟ ଓ ଜାତୀୟ ମହିଳା କମିସନ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । 


ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବିଜେପି ନେତା ମାନେ ଯେଉଁଭଳି ଭାବେ ପଶ୍ଚିମବଙ୍ଗ ଯାଇ ପୀଡିତାଙ୍କୁ ଭେଟିବା ପାଇଁ ଉଦ୍ୟମ କଲେ, ତାହା ଦୁଷ୍କର୍ମ ଟୁରିଜମର ଦୃଶ୍ୟ ସଦୃଶ୍ୟ ଅନୁଭବ ହୋଇଥିଲା । ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ସହିତ ବାର୍ତ୍ତାଳାପ ରେକର୍ଡିଂକୁ ଭାଇରାଲ କରିବାକୁ ଆମେ ଦୃଢ଼ ନିନ୍ଦା କରୁଛୁ ।

ଏହାଛଡା ଏହି ଘଟଣାକୁ ରାଜନୀତିକରଣ କରିବା ଉଦ୍ୟମକୁ ମଧ୍ୟ ଆମେ ଗଭୀର ନିନ୍ଦା କରୁଛୁ । ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ, କିନ୍ତୁ ଓଡ଼ିଶାର ଆଇନ ଶୃଙ୍ଖଳା ସ୍ଥିତି ଆହୁରି ଅଧିକ ଖରାପ ଅଛି । ଓଡ଼ିଶାରେ ମଧ୍ୟ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଘୋର ନିନ୍ଦନୀୟ ।