ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନୂଆପଡ଼ାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି। ସ୍ୱର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରି ସେ କହିଲେ ଯେ ସେ ତାଙ୍କର ଜଣେ ଉତ୍ତମ ବନ୍ଧୁଥିଲେl ସ୍ବର୍ଗତ ଢୋଲକିଆଙ୍କ ରାଜନୈତିକ ପ୍ରତିଦ୍ବନ୍ଦୀ ଥାଇ ପାରନ୍ତି କିନ୍ତୁ ତାଙ୍କ କେହି ରାଜନୈତିକ ଶତ୍ରୁ ନଥିଲେ। 

Advertisment

୨୦୦୪ ମସିହାରୁ ୪ ଥର ବିଧାୟକ ହୋଇଥିବା ସେହି ଲୋକପ୍ରିୟ ନେତା ଥରେ ମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇ ନୂଆପଡ଼ା ତଥା ସମଗ୍ର ରାଜ୍ୟର ବିକାଶ ଓ ପରିବର୍ତ୍ତନରେ ଅମୂଲ୍ୟ ଯୋଗଦାନ ଦେଇଥିଲେ l ତାଙ୍କର ବିୟୋଗରେ ନୂଆପଡା ଜିଲ୍ଲା ତଥା ଓଡ଼ିଶା ଜଣେ ସୁଦକ୍ଷ ଦରଦୀ ରାଜନେତାଙ୍କୁ ହରାଇଲା ବୋଲି ସେ କହିଥିଲେl ଏହା  ସହିତ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଧାୟକଙ୍କ ପତ୍ନୀ କଳ୍ପନା ଢୋଲକିଆ ଓ ପୁତ୍ର ଜୟଙ୍କୁ ଭେଟି   ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ତାଙ୍କ ବାସ ଗୃହ ପରିଦର୍ଶନ କରିଥିଲେ l

ଏହି ସ୍ମୃତି ଚାରଣ ସଭାରେ ନୂଆପଡା ଜିଲ୍ଲାର ହଜାର ହଜାର ଜନସାଧାରଣଙ୍କ ସହିତ ଶୁଭେଚ୍ଛୁ ଓ ସମର୍ଥକ ମାନେ ବିପୁଳ ସଂଖ୍ୟାରେ ଯୋଗଦେଇ ସ୍ୱର୍ଗତ ଢୋଲକିଆଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେl ଏହି ଅବସରରେ ମୂଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଠାରୁ ଆପତ୍ତି ଅଭିଯୋଗ ସମ୍ବଳିତ ଦରଖାସ୍ତ ମଧ୍ଯ ଗ୍ରହଣ କରିଥିଲେ l

ସ୍ଥାନୀୟ ଗୋଟମା ଏୟାର ଷ୍ଟ୍ରିପରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଳେଶ ଦିକ୍ଷିତ ତଥା ବରିଷ୍ଠ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ। ଗଣମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ନୂଆପଡ଼ା ଜିଲ୍ଲା ଭୁବନେଶ୍ୱରରୁ ବହୁ ଦୂରରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ରହିଛି। ତେଣୁ ଜିଲ୍ଲାକୁ ବାରମ୍ବାର ଆସି ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଚେଷ୍ଟିତ ରହିବେ। 

CM Mohan Charan Majhi