ବାତ୍ୟା ‘ଫନି’ ପାଇଁ ଆସନ୍ତା ଶନିବାର ଓ ରବିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ଫନି’ ପ୍ରପୀଡ଼ିତ ଜିଲ୍ଲା କଟକ, ପୁରୀ, ଖୋର୍ଦ୍ଧା ଓ ଜଗତ୍‌ସିଂହପୁରରେ ଏ ମାସର ଦ୍ୱିତୀୟ ଶନିବାର ଓ ରବିବାର (ମେ ୧୧ ଓ ୧୨ ତାରିଖ)ରେ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।  ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ସଂପୂର୍ଣ୍ଣ ଭରି ନଥିବା ହେତୁ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖୋଲା ରଖି ଲୋକଙ୍କ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି। ସରକାରୀ କର୍ମଚାରୀମାନେ ଆସନ୍ତା ଶନିବାର ଓ ରବିବାର ଛୁଟି ନ ନେଇ ବାତ୍ୟା ପ୍ରଭାବିତମାନଙ୍କୁ ରିଲିଫ୍‌ ବାଣ୍ଟିବାରୁ ନେଇ ଓଡ଼ିଶାକୁ ନୂଆ କରି ଗଢ଼ିତୋଳିବା କାର୍ଯ୍ୟରେ ସାମିଲ୍‌ ହେବେ।

ଉଲ୍ଲେଖଯୋଗ୍ୟ, ମେ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ପରି ଜିଲ୍ଲାଗୁଡ଼ିକ ବିଶେଷ ପ୍ରଭାବିତ ହୋଇଥିବା ବେଳେ କଟକ, ପୁରୀ ଓ ଖୋର୍ଦ୍ଧାରେ ଏଯାବତ୍‌ ସଂପୂର୍ଣ୍ଣ ଭାବେ ବିଜୁଳି, ପାଣି ସମସ୍ୟା ସମାଧାନ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର