ଆକାଶ ମାର୍ଗରୁ ତିତଲି ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ; ସଂଧ୍ୟାରେ କରାଯିବ ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର: ତିତଲି ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆକାଶ ମାର୍ଗରୁ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାର ସ୍ଥିତି ଅନୁଧ୍ୟାନ କରିଛନ୍ତି।  ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର  ବିଭିନ୍ନ ଅଂଚଳ ଆକାଶ ମାର୍ଗରୁ ଦେଖିଛନ୍ତି। ଏହା ପରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚି  ଭୁବନେଶ୍ୱର ଫେରିବା ପରେ ସେ ସ୍ଥିତି ସମୀକ୍ଷା କରିବା ସହ ପ୍ରଭାବିତ ଅଂଚଳର ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ସେ  । ଅନ୍ୟପଟେ ମନ୍ତ୍ରୀସ୍ତରୀୟ କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରି ପ୍ରଭାବିତ ଅଂଚଳରେ ସ୍ଥିତି ପରଖିବା ଅାରମ୍ଭ କରିଛନ୍ତି।

ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳ ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ରିଲିଫ୍ ଓ ପୁନରୁଦ୍ଧାରର ସମୀକ୍ଷା କରିଛନ୍ତି। ତିତଲି ପ୍ରଭାବିତ ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ଉଦ୍ଧାର ଓ ରିଲିଫ କାମ କେମିତି ଚାଲିଛି ସେ ନେଇ ସେ ବୁଝିଛନ୍ତି। ଦୁର୍ଗମ ଅଂଚଳକୁ ହେଲିକପ୍ଟଟର ଯୋଗେ ରିଲିଫ ପଠାଯାଉଛି ଏବଂ ଆସନ୍ତା ୭ ଦିନ ରିଲିଫ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ଅନ୍ୟପଟେ ୭ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ ହେବ ଏବଂ ପାଣି ସମସ୍ୟା ତୁରନ୍ତ ଦୂର ହେବ ବୋଲି ସମୀକ୍ଷା ପରେ ମୁଖ୍ୟ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଆଜି ସଂଧ୍ୟା ସୁଦ୍ଧା ଆସ୍କା, ପୁରୁଷୋତ୍ତମପୁରକୁ ବିଦ୍ୟୁତ ସଂଯୋଗ ହେବ। ଅନ୍ୟପଟେ ଗଜପତି ପାହାଡ଼ ଧସିବା ସ୍ଥଳକୁ ଉପଜିଲ୍ଲାପାଳ, ଏସପି ଓ ଡାକ୍ତରୀ ଦଳ ଯାଉଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ରହିଥିବାରୁ ଘଟଣାସ୍ଥଳରେ ପହଞ୍ଚିବା ବିଳମ୍ବ ହେଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର