ସଚିବାଳୟରେ ‘ଫନି’ କ୍ଷୟକ୍ଷତି ରିପୋର୍ଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫନି’ ବାତ୍ୟା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ ସମ୍ବନ୍ଧୀୟ ରିପୋର୍ଟର ଉନ୍ମୋଚନ  କରିଛନ୍ତି।  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିଳିତ ଜାତିସଂଘର ଭାରତରେ  ଅବସ୍ଥିତ ମୁଖ୍ୟ ସମନ୍ଵୟକାରୀ ରେନାଟା ଲୋକ୍‌-ଡେସାଲିଏନ୍‌ (Renata Lok-Dessallien) ଉପସ୍ଥିତ ଥିଲେ।  ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ, ୟୁ.ଏନ୍‌.ଡି.ପି ଓ ଅନ୍ୟାନ୍ୟ ପ୍ରମୁଖ ସଂସ୍ଥାମାନଙ୍କର ଉଚ୍ଚ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ଶାସନ ସଚିବ ଓ କର୍ମକର୍ତ୍ତା ତଥା ଓସ୍‌ଡମା ଓ ଏସ.ଆର.ସି ଅଫିସ’ର ଅଧିକାରୀମାନେ ଉପସ୍ଥିତି ଥିଲେ।

ଗତ ମଇ ମାସ ୩ ତାରିଖ ଦିନ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା ଓ ଏହାର ପ୍ରଭାବରେ ରାଜ୍ୟର ୧୪ ଗୋଟି ଜିଲ୍ଲାରେ ପ୍ରଭୁତ ଧନ ଜୀବନ କ୍ଷତି ହେବା ସହିତ ପାଖାପାଖି ୧ କୋଟି ୬୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ବାତ୍ୟା ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର, କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଏବଂ ମିଳିତ ଜାତିସଂଘର ସହଯୋଗୀତାରେ ବାତ୍ୟା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ କାର୍ଯ୍ୟ ହାତକୁ ନେଇଥିଲେ।

Vox

ପ୍ରସ୍ତୁତ ରିପୋର୍ଟ  ଅନୁଯାୟୀ ବାତ୍ୟା ‘ଫନି’ ଦ୍ୱାରା ସମୁଦାୟ ୨୪୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଅଛି ଏବଂ ସମସ୍ତ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ୨୯୩୧୫ କୋଟି ଟଙ୍କାର ଆବଶ୍ୟକତା ରହିଛି। ବାତ୍ୟା ଦ୍ୱାରା ଭିତ୍ତିଭୂମି ଗୁଡ଼ିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଏଗୁଡ଼ିକର ପୁନଃନିର୍ମାଣ ପାଇଁ ସମୁଦାୟ ନିର୍ଦ୍ଧାରିତ ଅର୍ଥର ଶତକଡ଼ା ୪୨ ଭାଗ ଆବଶ୍ୟକତା ରହିଛି। ସେହିପରି ସାମାଜିକ କ୍ଷେତ୍ର, ଯେଉଁଥିରେ ଗୃହ ନିର୍ମାଣ ଅର୍ନ୍ତଭୁକ୍ତ ସେଥିପାଇଁ ଶତକଡ଼ା ୩୬ ଭାଗ ଅର୍ଥର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର