‘ଫନି’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଶଂସା କଲେ କେନ୍ଦ୍ର ଶକ୍ତି ଏବଂ ଟେଲି ଯୋଗାଯୋଗ ସଚିବ

ଭୁବନେଶ୍ୱର: ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳରେ ତ୍ୱରାନ୍ଵିତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି କେନ୍ଦ୍ରୀୟ ଶକ୍ତି ଏବଂ ଟେଲି ଯୋଗାଯୋଗ ସଚିବ ଶ୍ରୀ ଅଜୟ କୁମାର ଭଲ୍ଳା। ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ କେନ୍ଦ୍ରୀୟ ଟିମ୍‌ର ହୋଇଥିବା ବୈଠକରେ ସେ ଏପରି କହିଛନ୍ତି। ବାତ୍ୟା ପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସହ ଯୋଗାଯୋଗ କରି ଓଡ଼ିଶା ସରକାର ଖୁବ୍‌ ଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ କରିପାରିଛନ୍ତି ବୋଲି ସେ କହିଛନ୍ତି।

ଏହି ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ବର୍ତ୍ତମାନର ସ୍ଥିତି ସଂପର୍କିତ ବିଷୟ ଉପସ୍ଥାପନା କରିଥିଲେ।

ସେହିପରି କେନ୍ଦ୍ରୀୟ ଟେଲିକମ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଂଶୁ ପ୍ରକାଶ ବିଏସ୍‌ଏନ୍‌ଏଲ୍‌, ଭୋଡାଫୋନ୍‌, ଏୟାର୍‌ଟେଲଇ ଓ ଜିଓ ଆଦି ଟେଲିକମ୍‌ କମ୍ପାନିଗୁଡ଼ିକ ସେମାନଙ୍କ କାର୍ଯ୍ୟ ତ୍ୱରାନ୍ଵିତ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।

ଏବେ ସୁଦ୍ଧା ୮ଟି ଯାକ ‘ମାଷ୍ଟର ମୋବାଇଲ୍‌ ସୁଇଚିଂ ସେଣ୍ଟର୍‌’ ଏବଂ ‘ସମସ୍ତ ବେସ ସୁଇଚିଂ ସେଣ୍ଟର୍‌’କୁ କାର୍ଯ୍ୟକ୍ଷମ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ଶ୍ରୀ ଅସିତ କୁମାର ତ୍ରିପାଠୀ।

ସମ୍ବନ୍ଧିତ ଖବର