ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରର ଏକ ମାଛ ଫାର୍ମରେ ବିଦ୍ୟୁତ୍ ଦୁର୍ଘଟଣାରେ ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାଭାନିଦିବା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବିଦ୍ୟୁତ୍ ସଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୁଣପୁର ବ୍ଲକ୍ ଭୀମପୁର ପଞ୍ଚାୟତ ଝୁମ୍ପାପୁର ଗ୍ରାମର ରାମମୂର୍ତ୍ତି ଗମାଙ୍ଗ, ଫୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଗୁଣପୁର ପୌର ପରିଷଦ ମୋତିଲାଲ ନଗରର ନବୀନ ଶବର ଓ ଗଜପତି ଜିରାଙ୍ଗର ମହେନ୍ଦ୍ର ଶବର। ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ଜଣା ପଡିଛି। ଗୁଣ୍ଟୁର ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୁଣ୍ଟୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି।
ସୂଚନା ମୁତାବକ, ୩ ମାସ ତଳେ ଜଣେ ଦଲାଲଙ୍କ ମାଧ୍ୟମରେ ଗୁଣପୁର ଓ ଗଜପତି ଅଞ୍ଚଳର ୧୨ ଶ୍ରମିକ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ। ଶ୍ରମ ବିଭାଗର ଅଜାଣତରେ ଏବଂ ବିନା ପଞ୍ଜିକରଣରେ ଶ୍ରମିକମାନେ ଲଙ୍କାଭାନିଦିବା ଆକ୍ବା ଫ୍ରେସ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଗତକାଲି ରାତିରେ ଶ୍ରମିକମାନେ ରେଷ୍ଟ୍ ହାଉସରେ ଶୋଇଥିବା ବେଳେ ସଟ୍ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଶ୍ରମିକମାନେ ଶୋଇଥିବା ରୁମରେ କେମିକାଲ୍ ଥିବାରୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା। ଫଳରେ ନିଆଁ ଧାସ ଭିତରୁ ଶ୍ରମିକମାନେ ବାହାରି ନପାରି ଶୋଇଥିବା ଅବସ୍ଥାରେ ହିଁ ପୋଡ଼ି ମୃତ୍ୟୁବରଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/e11a2ac0-4682-4286-8712-ac458e292db1.jpg)