ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା, ୭୫ ଲକ୍ଷ କୃଷକ ପାଇବେ ଟଙ୍କା: ନବୀନ

ପ୍ରଥମ କ୍ୟାବିନେଟ ବୈଠକ ପରେ ନବୀନ ପଟ୍ଟନାୟକଙ୍କ ଘୋଷଣା

ଭୁବନେଶ୍ୱର: ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକ ବୁଧବାର ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ନବୀନ ଆଜି ‘କାଳିଆ’ ଓ ‘ମିଶନ ଶକ୍ତି’ ଯୋଜନା ନେଇ ୨ଟି ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍‌ ବୈଠକ ପରେ ନବୀନ କହିଛନ୍ତି, ୭୫ ଲକ୍ଷ କୃଷକ ପରିବାରକୁ କାଳିଆ ଟଙ୍କା ମିଳିବ। ପୂର୍ବ ଅପେକ୍ଷା ୩୩ ଲକ୍ଷ ଅଧିକ କୃଷକ ପରିବାରକୁ କାଳିଆ ଟଙ୍କା ମିଳିବ। ସପ୍ତାହକ ମଧ୍ୟରେ ୨୫ ଲକ୍ଷ କୃଷକ ପରିବାରକୁ ଏହି ଟଙ୍କା ମିଳିବ। ଆଜିଠାରୁ କାଳିଆ ଟଙ୍କା ବଣ୍ଟନ ଆରମ୍ଭ ହୋଇଯାଇଛି ବୋଲି ନବୀନ କହିଛନ୍ତି। ଏଥିସହ  ମହିଳା ସଶକ୍ତିକରଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦୦୦ କୋଟି ଟଙ୍କା ଦିଆଯିବ ଓ ୪୦ଟି ବିଭିନ୍ନ ବୃତ୍ତିରେ ଏହି ଟଙ୍କା ମହିଳାମାନେ ପାଇପାରିବେ ବୋଲି କହିଛନ୍ତି ନବୀନ।

ସରକାର ଗଠନର ପ୍ରଥମ ଦିନରେ ହିଁ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି ନବୀନ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାବିନେଟ ପୂର୍ବରୁ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନୀ ଇସ୍ତାହାରକୁ ଅନୁମୋଦିତ କରାଯାଇଛି । ଏପରିକି ଇସ୍ତାହାରକୁ ତ୍ୱରିତ କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନବୀନ ।

ନିର୍ବାଚନ ପୂର୍ବରୁ ରାଜ୍ୟର ଅଧିକାଂଶ ଚାଷୀଙ୍କ ନିକଟକୁ କାଳିଆ ଟଙ୍କା ଯାଇଥିବା ବେଳେ ନିର୍ବାଚନ ସମୟରେ ଏହା ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ । ତେବେ ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା ଚାଷୀଙ୍କୁ ମିଳିବ ବୋଲି ନିର୍ବାଚନ ସଭାରେ ସ୍ପଷ୍ଟ କରିଥିଲେ ନବୀନ। ଆଉ ଆଜି ସରକାର ଗଠନର କିଛି ଘଣ୍ଟା ମଧ୍ୟରେ କାଳିଆ ଟଙ୍କା ପ୍ରଦାନ କରିଛନ୍ତି ନବୀନ । ଆଜି ପ୍ରାୟ ୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ଦୁଇଟି କିସ୍ତି ବାବଦକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବଳକା ଚାଷୀଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଯିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର