ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରାଇଲେ ‘ବ୍ଲାଙ୍କ ଚେକ୍‌’! ଜାଣନ୍ତୁ, କ’ଣ ପାଇଁ? କାହିଁକି?…

ଭୁବନେଶ୍ୱର: ସୂଚନା ବିହୀନ ଏକ ଅଦୃଶ୍ୟ ଶତ୍ରୁରୂପେ ଉଭାହୋଇ ବିଗତ ପ୍ରାୟ ୫ମାସ ଧରି ସମଗ୍ର ବିଶ୍ୱରେ ତାଣ୍ଡବ ରଚି ଚାଲିଥିବା ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ବିରୋଧରେ କିଏ ପ୍ରକୃତ ଅର୍ଥରେ ଯୁଦ୍ଧ ଲଢ଼ୁ ବା ନ ଲଢ଼ୁ କିନ୍ତୁ ଓଡ଼ିଶା ଲଢ଼ୁଛି। ଖାଲି ଲଢ଼ୁନାହିଁ ବରଂ ନିଜର ସମସ୍ତ ଶକ୍ତି ଓ ସାମର୍ଥ୍ୟକୁ ଲଗାଇଦେବା ସହ କରୋନା ବିରୋଧୀ ଲଢ଼େଇରେ ନିର୍ଣ୍ଣାୟକ ଭୂମିକା ନେବା ସହ ବିଜୟୀ ହେବାର ଲକ୍ଷ୍ୟ ନେଇ ଲଢ଼ୁଛି। ଏହି ଲଢ଼େଇରେ ସେନାପତି ଭୂମିକା ନିଭାଉଛନ୍ତି ନିଜେ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଲି ଭାଷଣରେ ନୁହେଁ; ଏ ଲଢ଼େଇରେ ମଧ୍ୟ ଓଡ଼ିଶା ଓ ପ୍ରତ୍ୟେକ ଓଡ଼ିଆର ଜୀବନ ସେନାପତି ନବୀନଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ।

ସେଥିପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ଯେ କୋଭିଡ୍‌ ବିରୋଧୀ ଲଢ଼େଇରେ ଅର୍ଥର କୌଣସି ପ୍ରତିବନ୍ଧକ ନାହିଁ। ଏକମାତ୍ର ଲକ୍ଷ୍ୟ ବିଜୟ ହାସଲ। ଅର୍ଥ ବ୍ୟୟ ପାଇଁ କୌଣସି ସୀମା ନାହିଁ। କିନ୍ତୁ ବଜାୟ ରହିବ, ସ୍ୱଚ୍ଛତା, ସାଧୁତା ଓ ସର୍ବୋପରି ମଣିଷ ପଣିଆ। ଆଜି କିଛି ଏହିପରି ଭାବେ ରାଜ୍ୟ ଲଢ଼ୁଥିବା କୋଭିଡ୍‌ ଯୁଦ୍ଧର ଚିତ୍ର ଆଙ୍କିଛନ୍ତି ରାଜ୍ୟର ଅନ୍ୟତମ ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା।
ଏ ସଂପର୍କରେ ଏକ ବିରଳ ଘଟଣାର ଉଦାହରଣ ଦେଇ ଶ୍ରୀ ଶର୍ମା କହିଛନ୍ତି ଯେ ଆମ ଦେଶରେ ମେଡିକାଲ ସାମଗ୍ରୀ ଓ ଯନ୍ତ୍ରପାତି ତିଆରି କରୁଥିବା କମ୍ପାନି ଓ ସପ୍ଲାୟର୍ସମାନଙ୍କର ସଂଖ୍ୟା ବହୁତ କମ୍‌। ସେଥିରେ ପୁଣି ଏମାନେ ସରକାରମାନଙ୍କୁ ଓ ସରକାରୀ ସଂସ୍ଥାକୁ ଜିନିଷ କ୍ରୟ କରିବାରେ କୁଣ୍ଠା ପ୍ରକାଶ କରିଥାନ୍ତି। କାରଣ, ସରକାରୀ ସ୍ତରରେ ପଇସା ମିଳିବାରେ ରହିଥାଏ ବହୁ ଝିଞ୍ଜଟ ଓ ସମସ୍ୟା। ସେଥିରେ ପୁଣି ବର୍ତ୍ତମାନ ପରିସ୍ଥିତିରେ ମେଡିକାଲ ସାମଗ୍ରୀ ଓ ଯନ୍ତ୍ରପାତିର ବହୁ ଗୁଣରେ ଚାହିଦା ବଢ଼ି ଯାଇଥିବାରୁ ଏବେ ଏସବୁ ଜିନିଷର ବଜାର ଆଉ କ୍ରେତାଙ୍କ ହାତରେ ନାହିଁ; ସଂପୂର୍ଣ୍ଣ ରୂପେ ବିକ୍ରେତାଙ୍କ ହାତରେ ଓ ସେମାନଙ୍କ କବ୍‌ଜାରେ।

ଏପରିସ୍ଥିତିରେ ରାଜ୍ୟରେ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ ପରୀକ୍ଷା ପାଇଁ ଆବଶ୍ୟକତା ପଡ଼ିଲା କୋଲକାତାରୁ କିଛି ମେଡିକାଲ ସାମଗ୍ରୀ ଓ ଯନ୍ତ୍ରପାତିର। କିନ୍ତୁ, ବଡ଼ ପ୍ରଶ୍ନଥିଲା ବର୍ତ୍ତମାନର ପରିସ୍ଥିତିରେ କୋଲକାତାର ସପ୍ଲାୟର୍ସ କ’ଣ ଓଡ଼ିଶା ସରକାରଙ୍କୁ ସାମଗ୍ରୀ ବିକ୍ରୟ କରିବେ? ସେଥିରେ ପୁଣି ଲକ୍‌ଡାନ୍‌! ପରିସ୍ଥିତିକୁ ବୁଝିଲେ ମୁଖ୍ୟମନ୍ତ୍ରୀ। ଡକାଇଲେ କ୍ରୟ କମିଟିରେ ଥିବା ଦୁଇଜଣ ବରିଷ୍ଠ ବିଶେଷଜ୍ଞ ବୈଜ୍ଞାନିକଙ୍କୁ। ରାଜ୍ୟ ଅର୍ଥମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସ୍ୱାକ୍ଷରିତ ସମ୍ବଳିତ ଦୁଇଟି ‘ବ୍ଲାଙ୍କ୍‌ ଚେକ୍‌’ (ମୂଲ୍ୟ ଉଲ୍ଲେଖ ନଥାଇ ସ୍ୱାକ୍ଷର ସମ୍ବଳିତ ଚେକ୍‌) ଧରାଇ ଦିଆଗଲା .ସେମାନଙ୍କୁ। ନିର୍ଦ୍ଦେଶ ଦେଲେ ଚେକ୍‌ ଧର ଓ ରାଜ୍ୟ ବିମାନରେ କୋଲକତା ଯାଅ। ସାମଗ୍ରୀର ମାନ ଯାଞ୍ଚ କରିବ। ଉପୁଯୁକ୍ତ ଥିଲେ ଚେକ୍‌ରେ ମୂଲ୍ୟ ଲେଖିବ ଓ ସାମଗ୍ରୀ ଧରି ଫେରିବ। ତାହାହିଁ ହେଲା। ରାତାରାତି ସାମଗ୍ରୀ ଆସିଲା ଓ ସକାଳକୁ ଠିଆ ହେଲା କୋଭିଡ୍‌ ହସ୍ପିଟାଲ ଓ ପରୀକ୍ଷାଗାର। ବଢ଼ିଲା ନମୁନା ପରୀକ୍ଷଣ ସଂଖ୍ୟା।

ସମ୍ବନ୍ଧିତ ଖବର