ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ, ଗଭୀର ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ଜଣାଇଛନ୍ତି। ବାଲିଗୁଡ଼ାର ବିକାଶ ପାଇଁ ସାହୁରା ବହୁ ଉଦ୍ୟମ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ଟୁଇଟ୍‌ କରିଛନ୍ତି। ସାହୁରାଙ୍କ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ ପରିବାରଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଆସନରୁ ସାହୁରା ମଲ୍ଲିକ କଂଗ୍ରେସର ଟିକେଟରେ ୩ ଥର ବିଧାୟକ (୧୯୭୪, ୧୯୮୦ ଓ ୧୯୯୫) ହୋଇଥିଲେ। ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ଭୋର ୪ଟାରେ ୮୫ ବର୍ଷ ବୟସରେ ପରଲୋକ ହୋଇଥିଲା। ରାଜନୀତିରେ ପାଦ ଥାପିବା ପୂର୍ବରୁ ସେ ଶିକ୍ଷକ ଥିଲେ।

ବାର୍ଦ୍ଧକ୍ୟ ଯୋଗୁଁ ସେ ଅସୁସ୍ଥ ଥିଲେ ଏବଂ ସେଥିପାଇଁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସାହୁରାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳର କଂଗ୍ରେସ ନେତାମାନେ ତାଙ୍କର ବାସଭବନକୁ ପହଂଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କର ଅନ୍ତିମ ସଂସ୍କାର ବାଲିଗୁଡ଼ା ଠାରୁ ୨୦ କିମି ଦୂର ଜନ୍ମମାଟି ‘ସୁଡ୍ରା’ରେ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର